ରଜ ପର୍ବ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱିଲ୍‌’

ଭୁବନେଶ୍ୱର,୧୩/୬ : କୋଭିଡ-୧୯ ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାର ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ନିଷ୍ପତ୍ତି ନେଇ ଆସନ୍ତାକାଲିଠୁ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ ସୁଲଭ ଦରରେ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦେବ ।

ଆଜି ଏହି କାର୍ଯ୍ୟକ୍ରମକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉଦଘାଟନ କରିଥିଲେ। ଶ୍ରୀମତୀ ମିଶ୍ର ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାଠ କରିଥିଲେ। ଓଡ଼ିଶାର ଗଣପର୍ବ ରଜ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ବିଶେଷକରି ମା’, ଝିଅମାନେ ଓ ଓଟିଡିସି କର୍ମଚାରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।ଏହାପରେ ଶ୍ରୀମତୀ ମିଶ୍ର ସମସ୍ତଙ୍କୁ କୋଭିଡ୍‌-୧୯ ଗାଇଡଲାଇନକୁ ମାନି ଘରେ ସୁରକ୍ଷିତ ରହି ଆମ ମହାନ ପରମ୍ପରା ପ୍ରତୀକ ରଜପର୍ବକୁ ପାଳନ କରି ଓଡ଼ିଆ ଭାବେ ନିଜକୁ ଗର୍ବ ଅନୁଭବ କରିପାରିବା ବୋଲି ପରାମର୍ଶ ଦେଇଛନ୍ତି । କୋଭିଡ୍‌-୧୯ କଟକଣାକୁ ମାନି ସାଧାରଣ ଲୋକଙ୍କ ନିକଟରେ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ପିଠା ପହଂଚାଇବାକୁୂ ପାନ୍ଥନିବାସ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ପାନ୍ଥନିବାସ ଓ ମିଶନ ଶକ୍ତିର ମା’ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହାଇଜେନିକ୍ ପକ୍ରିୟାରେ ହାତ ତିଆରି ପ୍ରସ୍ତୁତ ଏହି ଓଡ଼ିଆ ସୁସ୍ୱାଦୁ ବିଭିନ୍ନ ପିଠା ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଲୋକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଶ୍ରୀମତୀ ମିଶ୍ର ଆଶାବ୍ୟକ୍ତ କରିଛନ୍ତି ।

ଗତବର୍ଷ ଭଳି ଏଥର ମଧ୍ୟ ‘ପିଠା ଅନ୍ ହ୍ୱିଲ’ ମାଧ୍ୟମରେ ସୁସ୍ୱାଦୁ ପିଠା ଯୋଗାଇ ଦିଆଯିବ। ରାଜଧାନୀ ଭୁବନେଶ୍ୱରର ୬ଟି ସ୍ଥାନରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଏହି ପିଠା ମିଳିବ। ମାଷ୍ଟରକ୍ୟାଣ୍ଟିନ ଛକ, ଖଣ୍ଡଗିରି ଛକ, ସିଆରପି ଛକ, ପଟିଆ ଛକ, ଚନ୍ଦ୍ରଶେଖର ପୁର ଓ ରୂପାଲି ଛକରେ ପାନ୍ଥନିବାସ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ‘ପିଠା ଅନ୍ ହ୍ୱିୁଲ୍‌’ ମାଧ୍ୟମରେ ଏହି ପିଠା ବିକ୍ରି କରାଯିବ। ଏଠାରେ ମଧ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ମାସ୍କ ଉପଲବ୍ଧ ହେବ। ଗତବର୍ଷ ୧୧ଲକ୍ଷ ଟଙ୍କାର ପିଠା ବ୍ୟବସାୟ ହୋଇଥିଲା। କେବଳ ଭୁବନେଶ୍ୱର ନୁହେଁ ସମ୍ବଲପୁର ପାନ୍ଥନିବାସ ପକ୍ଷରୁ ମଧ୍ୟ ଅନୁରୂପ ‘ପିଠା ଅନ ହ୍ୱିଲ୍‌’ ମାଧ୍ୟମରେ ସୁସ୍ୱାଦୁ ରଜ ପିଠା ବିକ୍ରି କରାଯିବ। ଏହି ପିଠା ବିକ୍ରି ନିମନ୍ତେ ସ୍ୱତନ୍ତ୍ର ମୋବାଇଲ ଫୋନ୍ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଓଟିଡିସି ସୋସିଆଲ ମିଡିଆ ପେଜ୍‌ରେ ମଧ୍ୟ ଉପଲବ୍ଧ ଅଛି। ଭୁବନେଶ୍ୱର,ସମ୍ବଲପୁର ଓ କଟକ ପାନ୍ଥନିବାସରେ ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଇ ଏହି ପିଠା ବିକ୍ରି କରାଯିବ ବୋଲି ସେ କହିଛନ୍ତି।