ଭୁବନେଶ୍ୱର, ୧୮/୧୦ : ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ ଆଜି ଶପଥ ଗ୍ରହଣ କରିଛନ୍ତି । ଭୁବନେଶ୍ୱରସ୍ଥିତ ଲୋକ ଭବନର ଅଭିଷେକ ହଲ୍ଠାରେ ଆୟୋଜିତ ଭବ୍ୟ ଶପଥ ସମାରୋହରେ ହାଇକୋର୍ଟ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ବ୍ରଜ ମୋହନ ଆଜି ଆନୁଷ୍ଠାନିକଭାବେ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ, ସାଂସଦ ଓ ବିଧାୟକ ଗଣ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦୦ ଜଣ ପ୍ରତିଷ୍ଠିତ ଅତିଥି ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ, ନୂତର ରାଜ୍ୟପାଳଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟପାଳ ମହୋଦୟଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ଯାତ୍ରା ଆହୁରି ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିବା ସହିତ ତାଙ୍କର ସଫଳ କାର୍ଯ୍ୟକାଳ କାମନା କରିଛନ୍ତି ।