ରାଜଧାନୀ ବ୍ୟବସାୟୀ ବାହାରେ ଅଳିଆ ଫିଙ୍ଗିଲେ ଜରିମାନା : ବିଏମ୍‌ସି

ଭୁବନେଶ୍ୱର, ୧୮/୧୧: ରାଜଧାନୀର ବ୍ୟବସାୟୀ ଏଣିକି ବାହାର ଅଳିଆ ଫିଙ୍ଗିଲେ ଜରିମାନା ଗଣିବେ । ‘ସ୍ବଚ୍ଛ ରାସ୍ତା ଓ ସଚ୍ଛ ବଜାର’ ନୀତିକୁ ବଜାୟ ରଖିବା ପାଇଁ ବିଏମ୍‌ସିର ବିଭିନ୍ନ ଜୋନ୍‌ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରହିଛି। ଦକ୍ଷିଣ-ପୂର୍ବ ଜୋନ୍‌ ପକ୍ଷରୁ ଶିଶୁଭବନ ଛକରୁ ବାଣୀବିହାର, କଳ୍ପନା ଛକରୁ ଏଜି ଛକ ଓ ଆଚାର୍ଯ୍ୟ ବିହାରରୁ ଏଜି ଛକ ପର୍ଯ୍ୟନ୍ତ ବିଭିନ୍ନ ବଜାର, ଭେଣ୍ତିଙ୍ଗ୍‌ ଜୋନ୍‌, ଓମ୍‌ଫେଡ୍‌ ବୁଥ୍‌ ଓ ଉଠାଦୋକାନୀଙ୍କୁ ସଚେତନ କରାଯାଇଛି। ଏହାକୁ କୌଣସି ବ୍ୟାବସାୟିକ ପ୍ରତିଷ୍ଠାନ ଅବମାନନା କରି ପାଖ ଅଞ୍ଚଳରେ ଅଳିଆ ପକାଇଲେ ଜରିମାନା ଆଦାୟ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ସ୍କ୍ବାଡ୍‌ ଅଧିକାରୀମାନେ ପ୍ରତ୍ୟେକ ଅଞ୍ଚଳ ବୁଲିବେ। କୌଣସି ଦୋକାନ ସମ୍ମୁଖରେ ଅଳିଆ ପଡିଥିଲେ ବ୍ୟବସାୟୀଙ୍କ ପାଖରୁ ଜରିମାନା ଆଦାୟ କରିବେ। ସ୍ବଚ୍ଛତା ପାଇଁ ରାସ୍ତାଘାଟ ସଫା ରହିବା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ସମେତ ନାଗରିକ ଏବଂ ବ୍ୟବସାୟ ତଥା ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକର ସମାନ ଦାୟିତ୍ୱ ରହିଛି। ନିଜସ୍ବ ଆଚରଣକୁ ସମସ୍ତେ ଯଦି ସ୍ବଚ୍ଛତା ଅଭିମୁଖି ନ କରାଇବେ, ତେବେ ଆମର ପରିମଳ ନିଶ୍ଚିତ ହୋଇପାରିବ ନାହିଁ। ତେଣୁ ସଚେତନ କରାଇବା ପରେ ହିଁ ଆମେ ଦଣ୍ଡ ବିଧାନ କରିପାରିବା ବୋଲି ବିଏମ୍‌ସି ଅତିରିକ୍ତ କମିଶନର ଶୁଭମ୍‌ ସାକ୍‌ସେନା କହିଛନ୍ତି।