ରାଜସ୍ଥାନରେ ନିର୍ମାଣ ହେଉଛି ଦୁନିଆର ସବୁଠୁ ଉଚ୍ଚ ଶିବ ପ୍ରତୀମା

ଜୟପୁର,୧୮/୧୧: ଗୁଜରାତରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚତାର ପ୍ରତିମୂର୍ତ୍ତି “ଷ୍ଟାଚ୍ୟୁ ଅଫ ୟୁନିଟି” ପରେ ଏବେ ରାଜସ୍ଥାନର ନାଥଦ୍ଵାରରେ ଭଗବାନ ଶିବଙ୍କ ୩୫୧ ଫୁଟ୍ ଉଚ୍ଚତାର ପ୍ରତିମୂର୍ତ୍ତି ନିର୍ମାଣ ହେବାକୁ ଯାଉଛି। ଯାହା ଦୁନିଆର ସବୁଠୁ ଉଚ୍ଚ ଶିବ ପ୍ରତୀମା ହେବ। ଏହାର ନିର୍ମାଣ ଆଗାମୀ ବର୍ଷ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଯିବାର ସମ୍ଭାବନା ରହିଛି। ଉଦୟପୁରରୁ ୫୦ କିଲୋମିଟର ଦୂରରେ ସ୍ଥିତ ଶ୍ରୀନାଥଦ୍ଵାରର ଗଣେଶ ଟିକରୀରେ ସିମେଣ୍ଟ କଂକ୍ରିଟରେ ନିର୍ମାଣଧୀନ ବିଶ୍ଵର ସର୍ବୋଚ୍ଚ ଶିବ ପ୍ରତୀମାର ୮୫ ପ୍ରତିଶତ କାର୍ଯ୍ୟ ପୂରା ହୋଇ ସାରିଛି। ଏହି ପ୍ରକଳ୍ପର ପ୍ରଭାରୀ ରାଜେଶ ମେହତା କହିଛନ୍ତି ଯେ ୩୫୧ ଫୁଟ୍ ଉଚ୍ଚ ସିମେଣ୍ଟ କଂକ୍ରିଟରେ ନିର୍ମାଣଧୀନ ଶିବ ପ୍ରତୀମା ଦୁନିଆର ଚତୁର୍ଥ ଓ ଭାରତରେ ପଟେଲଙ୍କ ପ୍ରତିମୂର୍ତ୍ତି ପରେ ଦ୍ଵିତୀୟ ଉଚ୍ଚ ପ୍ରତୀମା ହେବ।

‘ମିରାଜ ଗ୍ରୁପ’ର ଏହି ଡ୍ରିମ ପ୍ରୋଜେକ୍ଟର ପାଖାପାଖି ୮୫ ପ୍ରତିଶତ କାମ ପୂରା ହୋଇ ସାରିଛି। ୨୦୧୯ ମାର୍ଚ୍ଚ ସୁଦ୍ଧା ନିର୍ମାଣ କାର୍ଯ୍ୟ ପୂରା ହେବାର ସମ୍ଭାବନା ରହିଛି। ଏହି ପ୍ରତୀମାର ନିର୍ମାଣ ଉଦୟପୁରରୁ ୫୦ କିଲୋମିଟର ଦୂର ଉଦୟପୁର-ଜୟପୁର ରାଜମାର୍ଗରେ ଶ୍ରୀନାଥଦ୍ଵାର ନିକଟ ଗଣେଶ ଟେକରୀରେ ୧୬ ଏକର କ୍ଷେତ୍ରରେ କରାଯାଉଛି।

ଗତ ଚାରି ବର୍ଷ ହେବ ଏହି ପ୍ରତୀମାର ନିର୍ମାଣ ଚାଲିଛି। ଏହାର ନିର୍ମାଣରେ ତିନି ଲକ୍ଷ ସିମେଣ୍ଟ ବସ୍ତା ଓ ୨୫୦୦ ଟନ ଲୁହା ଛଡ଼ ବ୍ୟବହାର କରାଯାଇଛି। ଏଥିରେ ପ୍ରତିଦିନ ୭୫୦ କାରିଗର ଓ ଶ୍ରମିକ କାମ କରୁଛନ୍ତି। ପ୍ରତୀମାରେ ଭଗବାନ ଶିବ ଧ୍ୟାନ ଓ ବିଶ୍ରାମ ମୁଦ୍ରାରେ ଅଛନ୍ତି।