ନନ୍ଦନକାନନକୁ ୩ଟି ଶାବକ ଉପହାର ଦେଲା ସିଂହୀ ‘ବିଜ୍‌ଲୀ’

ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାରତୀୟ ସିଂହ ବଂଶ ବୃଦ୍ଧି ହୋଇଛି । ସିଂହୀ ‘ବିଜ୍‌ଲୀ’ନନ୍ଦନକାନନକୁ ୩ଟି ଶାବକ ଉପହାର ଦେଇଛି । ମାତ୍ର ସେଥିରୁ ଗୋଟିଏ ଶାବକ ମୃତାବସ୍ଥାରେ ଜନ୍ମ ନେଇଥିବାରୁ ବର୍ତ୍ତମାନ ୨ଟି ଶାବକ ଜୀବିତ ଅଛନ୍ତି । ମା’ ଓ ଦୁଇ ଶାବକ ସୁସ୍ଥ ଅଛନ୍ତି ।

ସୂଚାନୁଯାୟୀ , ‘ବିଜ୍‌ଲୀ’ ତା’ର ପ୍ରଥମ ଶାବକକୁ ମଙ୍ଗଳବାର ରାତି ୨ଟା ୪୩ରେ ଜନ୍ମ ଦେଇଥିଲା । ଦ୍ୱିତୀୟ ଶାବକକୁ ୩ଟା ୧୨ ଏବଂ ତୃତୀୟକୁ ୩ଟା ୩୮ରେ ଜନ୍ମ ଦେଇଥିଲା । ବୁଧବାର ଅପରାହ୍‌ଣ ପ୍ରାୟ ୨ଟା ପର୍ଯ୍ୟନ୍ତ ‘ବିଜ୍‌ଲୀ’ ଶାବକମାନଙ୍କୁ ସ୍ତନ୍ୟପାନ ନକରାଇବାରୁ କର୍ତ୍ତୃପକ୍ଷ ବାଧ୍ୟ ହୋଇ ମା’କୁ ଟ୍ରାଙ୍କୁଲାଇଜ କରି ଦୁଇ ଶାବକଙ୍କୁ ସ୍ତନ୍ୟପାନ କରାଇଛନ୍ତି ।

ନନ୍ଦନକାନନର ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସିଂହୀର ଚିକିତ୍ସା ଜାରି ରହିଛି । ଗତ ଏପ୍ରିଲ ମାସରେ ବିଳାସପୁର ଚିଡ଼ିଆଖାନାରୁ ଆସିଥିବା ସିଂହ ‘ସମ୍ରାଟ୍‌’ ସହିତ ଇନ୍ଦୋର କମଳା ନେହରୁ ଚିଡ଼ିଆଖାନାରୁ ଆସିଥିବା ସିଂହୀ ‘ବିଜ୍‌ଲୀ’କୁ ମିଳନ କରାଯାଇଥିଲା ।