କିଟରେ ଏଆଇଟିଏ ଟେନିସ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭୁବନେଶ୍ୱର, ୨୯/୦୮ : କିଟରେ ଏଆଇଟିଏ ଟେନିସ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ସର୍ବ ଭାରତୀୟ ଟେନିସ ସଂଘ (ଏଆଇଟିଏ) ପକ୍ଷରୁ କିଟ ସହଯୋଗରେ ଅଗଷ୍ଟ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ କିଟରେ ଚାଲୁଥିବା ମେନସ ୱାନ ଲାଖ୍ ଟେନିସ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ କିଟର ପୁରାତନ ଛାତ୍ର ତଥା ଓଡ଼ିଶାର ପ୍ରତିଭାବାନ ଟେନିସ୍ ଖେଳାଳି କବୀର ହଂସ ଏଆଇଟିଏ ପୁରୁଷ ବର୍ଗର ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଏକକ ଓ ଯୁଗଳ ବର୍ଗରେ ଚାମ୍ପିଅନ ହୋଇଛନ୍ତି। ଏକକ ଫାଇନାଲରେ କବୀର ମଣିପୁରର ଭୂଷଣ ହାଓବାମ୍ ଙ୍କୁ ପରାସ୍ତ କରି ଚାମ୍ପିଅନ ହୋଇଥିଲେ। ଯୁଗଳ ବର୍ଗରେ କବୀର ମହାରାଷ୍ଟ୍ରର ବେଦାନ୍ତ ମିସ୍ତ୍ରୀଙ୍କ ଯୋଡ଼ି ଓଡ଼ିଶାର ଅମୃତଜୟ ମହାନ୍ତି ଓ ଆଦିତ୍ୟ ଶତପଥୀଙ୍କୁ ପରାସ୍ତ କରି ଟାଇଟଲ୍ ହାସଲ କରିଥିଲେ।

ଉଦଯାପନୀ ଉତ୍ସବରେ ଓଡ଼ିଶା ପୋଲିସର ଆଣ୍ଟି-ନକ୍ସଲ ଅପରେସନ୍ସ ଓ ସ୍ପେଶାଲ୍ ଇଣ୍ଟେଲିଜେନ୍ସ ୱିଙ୍ଗର ଡିଜିପି ତଥା ଓଡ଼ିଶା ଟେନିସ୍ ଆସୋସିଏସନ୍ (ଓଟିଏ)ର ସମ୍ପାଦକ ସଞ୍ଜୀବ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ଟେନିସ ସଂଘର ଯୁଗ୍ମ ସମ୍ପାଦକ ସମ୍ବିତ ପଟ୍ଟନାୟକ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସଞ୍ଜୀବ ପଣ୍ଡା କିଟର ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପାଇଁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ। ଏଭଳି ପ୍ରତିଯୋଗିତା ଖେଳାଳିମାନଙ୍କୁ ମୂଲ୍ୟବାନ ପ୍ରତିଯୋଗିତାମୂଳକ ଅଭିଜ୍ଞତା ପ୍ରଦାନ କରିବା ସହ ଓଡ଼ିଶାର ତୃଣମୂଳସ୍ତରରେ ଟେନିସର ବିକାଶରେ ସହାୟକ ହେବ ବୋଲି ସେ କହିଥିଲେ।

ଏହି ପ୍ରତିଯୋଗିତାରେ ସାରା ଦେଶରୁ ୧୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ଖେଳାଳି ଓଡ଼ିଶା ବାହାରୁ ଆସିଥିଲେ। ଏହି ଅବସରରେ କିଟ ଓ କିସ୍ କ୍ରୀଡ଼ା ଓ ଯୋଗ ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ଓ ଟେନିସ୍ ନିର୍ଦ୍ଦେଶକ ଟଡ୍ ଜନ୍ କ୍ଲାର୍କ ମଧ୍ୟ ଉପସ୍ଥିତ ରହି କିଟ ଓ କିସର ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ଉପରେ ଆଲୋକପାତ କରିଥିଲେ।