ପାଇଖାନା ସେପ୍‌ଟିକ୍ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ମୃତ

ଗୋପାଳପୁର,୨୨/୭ : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ବିକ୍ରମପୁର ଗ୍ରାମ ପମ୍ପ୍‌ହାଉସ୍ ସାହିରେ ଆଜି ଅପରାହ୍‌ଣ ୫ଟାରେ ପାଇଖାନା ସେପ୍‌ଟିକ୍ ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ୩ଜଣ ପ୍ରାଣ ହରାଇଛନ୍ତି । ମୃତକମାନେ ହେଲେ, ଏମ୍.ସଦାନନ୍ଦମ୍ (୫୦), କ୍ରିଷ୍ଣା ରେଡ୍ଡୀ (୫୦) ଓ ପି.ତରେନେୟା (୪୫)। ଟି.ସିଦ୍ଧେଶୁଙ୍କ ଘରର ନବନିର୍ମିତ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲିବାକୁ ପ୍ରଥ‌ମେ ମିସ୍ତ୍ରି ସଦାନନ୍ଦମ୍ ଭିତରେ ପଶିଥିଲେ। କିନ୍ତୁ ବହୁ ସମୟ ଧରି ନଫେରିବାରୁ ସିଦ୍ଧେଶୁଙ୍କ ପଡ଼ୋଣୀ କ୍ରିଷ୍ଣା ଟାଙ୍କି ଭିତରକୁ ଯାଇଥିଲେ। ତଥାପି ଉଭୟଙ୍କ ପାଟି ଆଉ ଶୁଭି ନଥିଲା। ଶେଷରେ ଆଉ ଜଣେ ପ‌ଡ଼ୋଶୀ ତରେନେୟା କିଛି ସମୟ ପରେ ଟାଙ୍କି ଭିତରକୁ ପଶି ସେ ମଧ୍ୟ ଆଉ ଫେରି ନଥିଲେ। ଅଞ୍ଚଳବାସୀ ଉଦ୍ୟମ କରି ତିନି ଜଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ।