ଭୁବନେଶ୍ୱର,୧/୮: (ପ୍ରଦୀପ୍ତ କୁମାର ଦାସ) – ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ପକ୍ଷରୁ ଗତ ୧୯୯୨ ମସିହା ପୂର୍ବରୁ ଭୁବନେଶ୍ୱରର ପଟିଆ ମୌଜାରେ ୨୯୨ ଟି MIG-2 ଘର ଓ ୧୨ ଟି ଦୋକାନ ଘର ନିର୍ମାଣ ହୋଇଥିଲା I ଉକ୍ତ ଆବାସିକ ସ୍ଥଳୀ କାନନବିହାର ଓ ସେହି ଦୋକାନ ସମୂହର ଉପଭୋକ୍ତାମାନେ ନିର୍ଦ୍ଧାରିତ ମୂଲ୍ୟ ଦେଇ ସେତେବେଳେ ହାଉସିଂବୋର୍ଡ ସହ ଚୁକ୍ତିନାମା ମଧ୍ୟ କରିଥିଲେ I ସେବେଠାରୁ ସେମାନେ ନିଜନିଜର ବାସଗୃହ ଗୁଡିକର ଦଖଲ ନେଇ ଅଦ୍ୟାବଧି ସପରିବାରେ ଦୀର୍ଘ ବର୍ଷ ହେଲା ସେଠାରେ ବସବାସ କରିଆସୁଛନ୍ତି I ଏଠାରେ ପ୍ରକାଶଯୋଗ୍ୟଯେ, ଜିଏ ତଥା ସାଧାରଣ ପ୍ରଶାସନ ବିଭାଗ ଅଧିନରେ ଥିବା ମୋଟ ପ୍ରାୟ ୧୭ ଏକର ୦.୩୨୫ ଡ଼ିସିମିଲ ସରକାରୀ ଜମିରେ ସମ୍ପୃକ୍ତ ବିଭାଗର ଅନୁମତିକ୍ରମେ ରାଜ୍ୟ ଗୃହନିର୍ମାଣ ସଂସ୍ଥା ଏହିସବୁ ବାସଗୃହ,ଦୋକାନ,ରାସ୍ତା ଓ ପାର୍କ ଇତ୍ୟାଦି ନିର୍ମାଣ କରିଥିଲା I ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ହାଉସିଂ ବୋର୍ଡ କର୍ତୃପକ୍ଷ ବିଭାଗୀୟ ନିୟମାନୁଯାୟୀ ଉକ୍ତ ବାସଗୃହ ଗୁଡିକୁ ମଧ୍ୟ ଆବଣ୍ଟନ କରିଥିଲେ I
ମାତ୍ର ବିଡମ୍ବନାର ବିଷୟ ଏହିକି ଯେ ଇତି ମଧ୍ୟରେ ଦୀର୍ଘ ପ୍ରାୟ ୨୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଉପରୋକ୍ତ ଆବଣ୍ଟିତ ଗୃହ ଜମି ଗୁଡିକର ମାଲିକାନା ସତ୍ୱ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ରାଜ୍ୟ ଗୃହ ନିର୍ମାଣ ସଂସ୍ଥାକୁ ଅଦ୍ୟାବଧି ହସ୍ତାନ୍ତର କରାଯାଇନାହିଁ I ତେବେ ମୋଟ ୧୭ ଏକର୦.୩୨୫ ଡ଼ିସିମିଲ ଜମିରୁ ୧୦ ଏକର .୦୫୬ ଡ଼ିସିମିଲ ଜମିରେ ୨୯୨ ଟି MIG-2 ବାସଗୃହ ଓ ଦୋକାନ ନିର୍ମାଣକରାଯାଇଛି I ବଳକା ୭ ଏକର .୦୨୬ ଡ଼ିସିମିଲ ଜମିରେ ସର୍ବସାଧାରଣଙ୍କ ପାଇଁ ରାସ୍ତା ଓ ପାର୍କ ନିର୍ମାଣ କରାଯାଇ ତାହା ବ୍ୟବହୃତ ହେଉଛି I ତେଣୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଉକ୍ତ ବାସଗୃହ ଓ ଦୋକାନ ଗୁଡିକ ନିମନ୍ତେ ବ୍ୟବହୃତ ୧୦ ଏକର .୦୫୬ ଡ଼ିସିମିଲ ଜମି ରାଜ୍ୟ ଗୃହ ନିର୍ମାଣ ସଂସ୍ଥାକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରାଗଲେ ଦୀର୍ଘ ବର୍ଷ ଧରି ଉପେକ୍ଷିତ ହୋଇଆସୁଥିବା ସମ୍ପୃକ୍ତ ଗୃହ ଉପଭୋକ୍ତା ମାନଙ୍କ ନାମରେ ନିୟମାନୁଯାୟୀ ନିଜନିଜ ଜମିର ପଞ୍ଜିକରଣ ସମ୍ଭବ ହୋଇପାରନ୍ତା I
ମାତ୍ର ସାଧରଣ ପ୍ରଶାସନ ବିଭାଗ ଦୀର୍ଘ ୨୮ ବର୍ଷରୁ ଊର୍ଧ୍ୱ ସମୟ ଧରି ଉକ୍ତ ଜମିର ମାଲିକାନା ହସ୍ତାନ୍ତର କରିବାକୁ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛି ବୋଲି ସମ୍ପୃକ୍ତ ଗୃହ ଉପଭୋକ୍ତା ମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି I ଫଳରେ ଉପଯୁକ୍ତ ଦେୟ ପ୍ରଦାନ କରିଥିଲେ ସୁଦ୍ଧା ଗୃହ କିଣିଥିବା ଉପଭୋକ୍ତା ମାନଙ୍କ ନିଜ ନିଜ ନାମରେ ଉକ୍ତ ଜମି ଗୁଡିକର ପଞ୍ଜିକରଣ ଅଦ୍ୟାବଧି ସମ୍ଭବ ହୋଇପାରୁନାହିଁ I ଅପର ପକ୍ଷରେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ପଞ୍ଜିକରଣ ଦେୟ ବାବଦ ବିଏମଭି ଅନୁଯାୟୀ ନିର୍ଦ୍ଧାରିତ ହେଉଥିବାରୁ ପଟିଆ ମୌଜାର ଜମି ପଞ୍ଜିକରଣ ମୂଲ୍ୟ ୨୦୨୦ ସୁଦ୍ଧା ଆକାଶ ଛୁଆଁ ହୋଇଯାଇଛି I ଏହି ମୂଲ୍ୟ ମଧ୍ୟ ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି I ତେବେ ବିଳମ୍ବିତ ଜମିମାଲିକାନା ହସ୍ତାନ୍ତରିତ ପ୍ରକ୍ରିୟା ପାଇଁ ବର୍ଦ୍ଧିତ ଜମି ପଞ୍ଜିକରଣ ମୂଲ୍ୟ ଉପଭୋକ୍ତା ମାନଙ୍କ ପାଇଁ ବେଡି ଉପରେ କୋରଡା ମାଡ ସଦୃଶ ଓ ଏହାକୁ କିଏ ଦେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ତେବେ ଏପରି ସମସ୍ୟାର ସମାଧାନ ନିମନ୍ତେ ସରକାରଙ୍କୁ ସମ୍ପୃକ୍ତ ଉପଭୋକ୍ତା ମାନଙ୍କ ପକ୍ଷରୁ ବାରମ୍ବାର ଲିଖିତ ଭାବେ ନିବେଦନ କରାଯିବା ସ୍ୱତ୍ୱେ ସାଧାରଣ ପ୍ରଶାସନ ବିଭାଗ ଏଦିଗରେ ଉଦାସୀନ ରହିଆସୁଥିବା ଅଭିଯୋଗ ହୋଇଛି I ଅପର ପକ୍ଷରେ ଏନେଇ ସାଧାରଣ ବିଭାଗ ପକ୍ଷରୁ ଇଷ୍ଟେଟ ନିର୍ଦ୍ଦେଶକ ସୁଶାନ୍ତ କୁମାର ମହାନ୍ତି ଓ ଯୁଗ୍ମ ନିର୍ଦ୍ଦେଶକ ତଥା ବିଭାଗୀୟ ଲ୍ୟାଣ୍ଡ ଅଫିସର ମାନସ ସାମଲଙ୍କୁ ପଚରାଯିବାରେ ସେମାନେ କହିଛନ୍ତି ଯେ ଉକ୍ତ ଜମି ଜଙ୍ଗଲ କିସମଭୁକ୍ତ ହୋଇଥିବାରୁ ଏହାକୁ ଡ଼ାଇଭରସନ କରି ଏହି ସମସ୍ୟାର ସମାଧାନ କରାଯାଇପାରିବ I ସେଥିପାଇଁ ଆମେ ହାଉସିଂ ବୋର୍ଡ କର୍ତୃପକ୍ଷଙ୍କ ସହ ମିଳିତ ଭାବେ ଆଲୋଚନା କରି ଏହାର ସମାଧାନର ପନ୍ଥା ବାହାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛୁ I
ସେହିପରି ହାଉସିଂ ବୋର୍ଡର ଭାରପ୍ରାପ୍ତ ସଚିବ ତଥା ବରିଷ୍ଠ ଆଇଏଏସ ଅଧିକାରୀ ସଂଗ୍ରାମଜୀତ ନାଏକ ଓ ବିଭାଗୀୟ ଲ୍ୟାଣ୍ଡ ଅଫିସର ଆରାଧନା ଦାସଙ୍କୁ ଏନେଇ ପଚାରିବାରୁ ଉଭୟେ ଏବାବଦରେ ଭେରିଫାଏ କରିବାପରେ ଯାହାକିଛି କହିବେ ବୋଲି କହିଥିଲେ I ତେବେ ଏପରି ସ୍ଥିତିରେ ସମ୍ପୃକ୍ତ ଗୃହ ଉପଭୋକ୍ତାମାନଙ୍କ ପକ୍ଷରୁ ଭୁବନେଶ୍ୱର ତହସିଲଦାରଙ୍କ କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନ ଅନୁଯାୟୀ ଏସଂକ୍ରାନ୍ତରେ ସଂଗ୍ରହ କରାଯାଇଥିବା ଉକ୍ତ ଜମିର ଆରଓଆରରେ ତାହା ଜଙ୍ଗଲ କିସମଭୁକ୍ତ ଜମି ବୋଲି ନିର୍ଦିଷ୍ଟ ଓ ସ୍ପଷ୍ଟ ଭାବେ କିଛି ସୂଚନା କିମ୍ବା ତଥ୍ୟନାହିଁ ବୋଲି କୁହାହାଯାଇଛି I ଏହି କ୍ରମରେ ନିଜନିଜର ନ୍ୟାଯ୍ୟ ଜମି ମାଲିକାନା ସତ୍ୱ ପାଇବା ଅଧିକାରରୁ ଦୀର୍ଘବର୍ଷ ଧରି ବଞ୍ଚିତ ହୋଇଆସୁଥିବା ଗୃହ ଉପଭୋକ୍ତା ମାନଙ୍କର ଏପରି ସମସ୍ୟାର ଆଶୁ ସମାଧାନ ନିମନ୍ତେ ଇତିମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ ଓ ୫- ଟି ସଚିବ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସମ୍ପୃକ୍ତ ଗୃହ ଉପଭୋକ୍ତାମାନଙ୍କ ପକ୍ଷରୁ କୁହାଯାଇଛି I