ଟୋକିଓ,୧/୮: ଭାରତ ଟୋକିଓ ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ପ୍ରବେଶ କରିଛି। ଟୋକିଓ ଅଲିମ୍ପିକରେ ଆଜି ଭାରତ ପାଇଁ ଐତିହାସିକ ଦିନ ରହିଛି। ପିଭି ସିନ୍ଧୁ କାଂସ୍ୟ ଜିତି ଭାରତକୁ ଦ୍ଵିତୀୟ ପଦକ ଦେଇଛନ୍ତି । ଏହା ପରେ ପରେ ପୁରୁଷ ହକି ଦଳ ନିଜର ଦମଦାର ପ୍ରଦର୍ଶନ ବଜାୟ ରଖି ଗ୍ରେଟ୍ ବ୍ରିଟେନକୁ ପରାସ୍ତ କରି ଟୋକିଓ ଅଲିମ୍ପିକର ସେମି ଫାଇନାଲରେ ପ୍ରବେଶ କରିଛି । ଦଳ ଗ୍ରେଟ୍ ବ୍ରିଟେନକୁ ୩-୧ରେ ମାତ୍ ଦେଇ ଅଲିମ୍ପିକରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ୧୯୭୨ ପରେ ପ୍ରଥମ ଥର ଭାରତୀୟ ହକି ଦଳ ସେମି ଫାଇନାଲରେ ପହଞ୍ଚିଛନ୍ତି।
ଭାରତ ପାଇଁ ୭ମ ମିନିଟ୍ରେ ଦିଲପ୍ରୀତ ସିଂହ, ୧୬ତମ ମିନିଟ୍ରେ ଗୁରଜିତ ସିଂହ ଓ ୫୭ତମ ମିନିଟ୍ରେ ହାର୍ଦ୍ଦିକ ସିଂହ ଗୋଲ୍ ଦେଇଥିଲେ। ବ୍ରିଟେନ୍ ପକ୍ଷରୁ ଏକ ମାତ୍ର ଗୋଲ୍ ସାମୁଏଲ ୪୫ତମ ମିନିଟ୍ରେ ଦେଇଥିଲେ। ସେମି ଫାଇନାଲରେ ଭାରତର ମୁକାବିଲା ବେଲଜିୟମ ସହ ରହିଛି।
ଅଲିମ୍ପିକରେ ଭାରତକୁ ଶେଷ ପଦକ ୧୯୮୦ରେ ମସ୍କୋରେ ମିଳିଥିଲା। ସେହି ସମୟରେ ଅଧିନାୟକ ବାସୁଦେବନ ଭାସ୍କରନଙ୍କ ନେତୃତ୍ଵରେ ପୁରୁଷ ହକି ଦଳ ପଦକ ଜିତିବାରେ ସଫଳ ହୋଇଥିଲା। ଉକ୍ତ ଅଲିମ୍ପିକରେ ୬ଟି ଦଳ ଅଂଶ ଗ୍ରହଣ କରିଥିଲେ ଏବଂ ମ୍ୟାଚ୍ ରାଉଣ୍ଡ ରୋବିନ ଆଧାରରେ ଖେଳାଯାଇଥିଲା। ଶୀର୍ଷ ୨ ଦଳ ମଧ୍ୟରେ ଫାଇନାଲ ହୋଇଥିଲା। କିନ୍ତୁ ୧୯୭୨ ଅଲିମ୍ପିକ ପର୍ଯ୍ୟାୟ କ୍ରମେ ହୋଇଥିଲା। ୧୯୮୦ ପରଠୁ ଦଳର ପ୍ରଦର୍ଶନ ନିମ୍ନଗାମୀ ହୋଇ ଚାଲିଥିଲା। ୧୯୮୪ ଲସ୍ ଏଞ୍ଜେଲ୍ସ ଅଲିମ୍ପିକରେ ପଞ୍ଚମ ସ୍ଥାନରେ ରହିବା ପରେ ଦଳ ଆଉ ଭଲ ପ୍ରଦର୍ଶନ କରି ପାରିନଥିଲା।
ଅଷ୍ଟ୍ରେଲିଆ ହାତରୁ ୧-୭ରେ ମିଳିଥିବା ପରାଜୟ ପରେ ଭାରତୀୟ ଦଳ ଏ ପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ କରି ସାରିଛି। ପାଞ୍ଚଟି ମ୍ୟାଚ୍ରୁ ଚାରୋଟି ଜିତି ଦଳ ପୁଲ ଏରେ ଦ୍ଵିତୀୟ ସ୍ଥାନରେ ରହିଛି। ଗ୍ରେଟ୍ ବ୍ରିଟେନ୍ ଦୁଇଟି ବିଜୟ ଏବଂ ଦୁଇଟି ପରାଜୟ ପରେ ପୁଲ୍ ବିରେ ତୃତୀୟ ସ୍ଥାନରେ ରହିଛି। ଭାରତ ଅଷ୍ଟ୍ରେଲିଆଠୁ ହାରିବା ପରେ କ୍ରମାଗତ ଜିତି ଚାଲିଛି।