ପ୍ଳଟିଙ୍ଗ ସ୍କିମ ନାଁରେ ସାଢେ ୩୧ କୋଟି ଟଙ୍କା ଠକେଇ ମାମଲା : ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ନେଲ ଓ ବ୍ରୁକ୍ସନ ଇନଫ୍ରା ଏମଡିଙ୍କୁ ୫ ବର୍ଷ ଜେଲ

ଭୁବନେଶ୍ୱର,୩୧/୮: (ପ୍ରଦୀପ୍ତ କୁମାର ଦାସ) – ସ୍ଥାନୀୟ ଗିରିଙ୍ଗାପୁଟ ମୌଜା ଠାରେ ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ ପ୍ଳଟିଙ୍ଗ ସ୍କିମ ନାଁରେ ପ୍ରାୟ ସାଢେ ୩୧ କୋଟୀରୁ ଊର୍ଧ୍ୱ ଟଙ୍କା ଠକେଇ ମାମଲାର ବିଚାର କରି ଓପିଆଇଡି(ଓଡିଶା ପ୍ରୋଟେକ୍ସନ ଅଫ ଇଂଟ୍ରେଷ୍ଟ ଅଫ ଡିପୋଜିଟର୍ସ ) କୋର୍ଟ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ନେଲ ରାକେଶ ରାଣା ଓ ବ୍ରୁକ୍ସନ ଇନ୍ଫରା ଏମଡି ପୁର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୨୦୧୧ ରୁ ୨୦୧୫ ମଧ୍ୟରେ ସୈନିକ ୱେଲଫେୟାର ଅର୍ଗାନାଇଜେସନ ଅଫ ଇଣ୍ଡିଆ ନାମକ ଦିଲ୍ଲୀର ଏକ ଏନଜିଓ ସଂସ୍ଥାର ଚେୟାରମ୍ୟାନ ରାକେଶ ରାଣା ଓ ବ୍ରୁକ୍ସନ ଇନ୍ଫରା ଏମଡି ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ସେମାନଙ୍କର କିଛି ସହଯୋଗୀ ମିଳିତ ଭାବେ ସୁଲଭ ମୂଲ୍ୟରେ ପ୍ରତିରକ୍ଷା କର୍ମଚାରୀଙ୍କୁ ଭୁବନେଶ୍ୱରରେ ବାସପୋଯୋଗୀ ପ୍ଲଟ ଯୋଗାଇଦେବା ଆଳରେ ଏହି ଠକେଇ କରିଥିଲେ ।

ତେବେ ଡିଫେନ୍ସ ଇଣ୍ଟରସିଟି ବାଟିକା ପ୍ରକଳ୍ପ ନାମରେ ଉକ୍ତ ପ୍ଳଟିଙ୍ଗ ସ୍କିମ ଜରିଆରେ ୫୪୨ ଜଣ ପ୍ରତିରକ୍ଷା କର୍ମଚାରୀଙ୍କଠାରୁ ଏହି ବିପୁଳ ଅର୍ଥ ଆଦାୟ କରାଯାଇଥିଲା । ସେତେବେଳେ ରାଣା ଅର୍ଥ ବିନିମୟରେ ଆବଶ୍ୟକ ଜମି ଯୋଗାଇଦେବାକୁ ବ୍ରୁକ୍ସନ ଇନ୍ଫରାର ଏମଡି ପଣ୍ଡାଙ୍କ ସହ ଚୁକ୍ତି କରିଥିଲେ । ମାତ୍ର ସେତେବେଳେ ହୋଇଥିବା ଚୁକ୍ତି ମୁତାବକ ପରେ ସେହି ପ୍ରତିରକ୍ଷା କର୍ମଚାରୀମାନଙ୍କୁ ପ୍ଲଟ ଯୋଗାଇଦେବାରେ ବିଫଳ ହୋଇଥିଲେ ଏବଂ ସେମାନେ ଦାଖଲ କରିଥିବା ଅର୍ଥ ମଧ୍ୟ ଫେରସ୍ତ କରିନଥିଲେ । ଅଭିଯୁକ୍ତ ମାନେ ଚକ୍ରାନ୍ତ କରି ଉକ୍ତ ବିପୁଳ ଅର୍ଥ ହଡପ କରିନେଇଥିଲେ ବୋଲି ପ୍ଲଟ ବୁକିଂ କରିଥିବା କର୍ମଚାରୀମାନେ ସେତେବେଳେ ଆପତ୍ତି କରିଥିଲେ । ଫଳରେ ଏନେଇ କ୍ରାଇମ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ତଥା ଈଓଡବ୍ଲ୍ୟୁରେ ସମ୍ପୃକ୍ତ ପ୍ରତିରକ୍ଷା କର୍ମଚାରୀ ମାନଙ୍କ ପକ୍ଷରୁ ଅଭିଯୁକ୍ତ ମାନଙ୍କ ବିରୋଧରେ ଏତଲା ଦିଆଯାଇଥିଲା ।

ପରବର୍ତ୍ତୀ ସମୟରେ ଏହାର ତଦନ୍ତ କରାଯାଇ କଟକ ସ୍ଥିତ ଓପିଆଇଡି କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଥିଲା । ମାନ୍ୟବର ବିଚାରପତି ତଥା ପ୍ରାଧିକୃତ ପ୍ରିଜାଇଡିଂ ଅଫିସର ଏହି ମାମଲାର ବିଚାର କରି ଅଭିଯୁକ୍ତ ରାକେଶ ରାଣା ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ୟମାନଙ୍କୁ ଏଥିରେ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।