ଭୁବନେଶ୍ୱର,୧୨/୧୦ : ଆସନ୍ତା ଡିସେମ୍ବର ମାସରୁ ଏମ୍ସ ବାଲେଶ୍ବର ସାଟେଲାଇଟ୍ ସେଣ୍ଟର୍ର ଓପିଡି ଏବଂ କିଛି ବିଭାଗର ପରୀକ୍ଷାଗାର ଆରମ୍ଭ ହେବ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨୬ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ଏମ୍ସ ଭୁବନେଶ୍ବରର କିଛି ଡାକ୍ତର ମଧ୍ୟ ଏଠାରୁ ଯାଇ ସେଠାରେ ଚିକିତ୍ସା କରିବେ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଏମ୍ସ ଭୁବନେଶ୍ବରକୁ ପ୍ରତିଦିନ ହାରାହାରି ୫୧୩୮ ରୋଗୀ ଆସନ୍ତି। ଏଥିରୁ ସର୍ବାଧିକ ୬୪ ପ୍ରତିଶତ ରୋଗୀ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରୁ ଆସୁଥିବାବେଳେ ୧୮ ପ୍ରତିଶତ ଉତ୍ତର ଏବଂ କେନ୍ଦ୍ର ଓଡ଼ିଶା, ୭ ପ୍ରତିଶତ ପଶ୍ଚିମ ଓଡ଼ିଶା ଏବଂ ୪ ପ୍ରତିଶତ ଦକ୍ଷିଣ ଓଡ଼ିଶାରୁ ଆସନ୍ତି। ପ୍ରତିଦିନ ଅନେକ ସଂଖ୍ୟାରେ ରୋଗୀ ଓପିଡି ଆସି ହଇରାଣ ହେଉଥିବାରୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ବାଲେଶ୍ବରରେ ସାଟେଲାଇଟ୍ ସେଣ୍ଟର ସ୍ଥାପନ ହୋଇଛି। କିଛି ବର୍ଷ ହେଲା ସେଠାରେ ପ୍ରତି ଶନିବାର ଓପିଡି ହେଉଥିଲେ ମଧ୍ୟ ପୂର୍ଣ୍ଣକାଳୀନ ଭାବେ ଓପିଡି କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇ ଆସୁଥିଲା। ବିଳମ୍ବରେ ହେଲେ ମଧ୍ୟ ଏମ୍ସ କର୍ତ୍ତୃପକ୍ଷ ଆସନ୍ତା ଡିସେମ୍ବରରୁ ଏହା କରିବାକୁ ଯାଉଛନ୍ତି। ଏହା ଫଳରେ ପ୍ରତିଦିନ ଓପିଡିରେ ଡାକ୍ତରମାନେ ରୋଗୀଙ୍କୁ ଦେଖିବା ପରେ ଆବଶ୍ୟକସ୍ଥଳରେ ସେମାନଙ୍କୁ ଭୁବନେଶ୍ବର ଏମ୍ସକୁ ରେଫର୍ କରିବେ। ପ୍ରାଥମିକ ପର୍ଯ୍ୟାୟରେ ଏହି ସାଟେଲାଇଟ୍ ସେଣ୍ଟରରେ ବିଭିନ୍ନ ବିଭାଗର କେବଳ ସ୍ପେସାଲିଷ୍ଟ ଡାକ୍ତରମାନେ ରୋଗୀ ଦେଖିବେ। ପରବର୍ତ୍ତୀ ସମୟରେ ଏଠାରେ ଓଟି ଓ ଆଇପିଡି ମଧ୍ୟ ଖୋଲିବ ବୋଲି ଜଣାପଡ଼ିଛି।