ନୂଆଦିଲ୍ଲୀ,୨୦/୧୧ : ୩ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ସହିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନଗତ ଗ୍ୟାରେଣ୍ଟି ଦାବିକରି ଦିଲ୍ଲୀ ସୀମାରେ ପ୍ରାୟ ବର୍ଷେ ହେଲା କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ଏହି ୩ଟି ଆଇନର ପ୍ରତ୍ୟାହାର ପାଇଁ ଘୋଷଣା କରିଛନ୍ତି। ତେବେ ଏହି ତିନିଟି ଆଇନ କ’ଣ ଏବଂ ଏଥିରେ କ’ଣ ବ୍ୟବସ୍ଥା ରହିଛି ତାହାର ଅବତାରଣା ଏଠାରେ କରାଯାଇଛି।
କୃଷକଙ୍କ ଉତ୍ପାଦ ବ୍ୟବସାୟ ଆଇନ ୨୦୨୦ ବା ଏଫପିଟିସି ଆଇନ :
ଉକ୍ତ ଆଇନ ଅନୁଯାୟୀ କୃଷକମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣୀତ କୃଷି ଉତ୍ପାଦ ବିପଣନ କମିଟି ଆଇନ (ଏପିଏମ୍ସି ଆଇନ) ବ୍ୟବସ୍ଥାରେ ଥିବା ମଣ୍ଡି ବାହାରେ ବିକ୍ରି କରିବାର ବ୍ୟବସ୍ଥା ରହିଥିଲା। ନୂଆ ଆଇନ ଯୋଗୁ ରାଜ୍ୟସ୍ତରରେ ପ୍ରଣୀତ ଏପିଏମସି ଆଇନ ଅକାମୀ ହୋଇଯାଇଥାନ୍ତା। କୃଷକମାନେ ୩ ନୂଆ କୃଷି ଆଇନକୁ ବିରୋଧ କରୁଥିଲେ ମଧ୍ୟ ଏହି ଆଇନକୁ ଅଧିକ ବିରୋଧ କରୁଥିଲେ। ସେମାନେ ଏହାକୁ ଏପିଏମ୍ସି ବାଇପାସ୍ ବିଲ୍ ବୋଲି କହୁଥିଲେ। କୃଷକମାନଙ୍କ ଭୟ ଥିଲା ଯେ ଏହି ଆଇନରେ ରହିଥିବା ବ୍ୟବସ୍ଥା ଯୋଗୁ ଏପିଏମ୍ସି ଆଇନରେ ରହିଥିବା ମଣ୍ଡିଗୁଡ଼ିକ ଦୁର୍ବଳ ହୋଇଯିବ। ଉକ୍ତ ଆଇନର ଧାରା ୩ ଏବଂ ୪ରେ ବ୍ୟବସ୍ଥା ରହିଛି ଯେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ମଣ୍ଡି ବାହାରେ ରାଜ୍ୟର ଏବଂ ରାଜ୍ୟ ବାହାରର ଗ୍ରାହକଙ୍କୁ ବିକ୍ରି କରିପାରିବେ। କୃଷକମାନଙ୍କ ଭୟ ରହିଛି ଯେ ସ୍ଥାନୀୟ ବଜାରରେ ସେମାନଙ୍କ ସାମଗ୍ରୀର ପର୍ଯ୍ୟାପ୍ତ ଚାହିଦା ରହିବ ନାହିଁ। ସମ୍ବଳ ଅଭାବରୁ କୃଷିଜାତ ସାମଗ୍ରୀକୁ ମଣ୍ଡି ବାହାରକୁ ପରିବହନ କରିବା ସମ୍ଭବ ହେବନାହିଁ। କାରଣ ଏଥିଲାଗି ସମ୍ବଳର ଅଭାବ ଦେଖାଦେବ। ଏହି କାରଣ ଯୋଗୁ କୃଷକମାନେ ସେମାନଙ୍କ ସାମଗ୍ରୀକୁ ଏମଏସ୍ପିଠାରୁ କମ୍ ଦାମରେ ମଧ୍ୟ ସ୍ଥାନୀୟ ବଜାରରେ ବିକ୍ରି କରିଆସୁଛନ୍ତି। ଏଥିସହିତ ଉକ୍ତ ଆଇନର ଧାରା ୮ରେ ରହିଥିବା ବ୍ୟବସ୍ଥାରେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ (ଏସ୍ଡିଏମ୍)ଙ୍କ ନିକଟରେ ହୋଇପାରିବ। କୃଷକମାନେ ଏହି ଧାରାକୁ ଦୃଢ଼ ବିରୋଧ କରିଛନ୍ତି। ବିବାଦ ସମାଧାନ ପାଇଁ ଏସଡିଏମଙ୍କ କାର୍ଯ୍ୟାଳୟରେ ସେମାନେ ପହଞ୍ଚି ପାରିବେ ନାହିଁ ବୋଲି କହିଛନ୍ତି।
ମୂଲ୍ୟ ପ୍ରତିଶ୍ରୁତି ଏବଂ କୃଷି ସେବା ରାଜିନାମା ଆଇନ :
ଉକ୍ତ ଆଇନର ଧାରା ୩ରୁ ୧୨ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟ ଫାର୍ମିଂର ଆଇନଗତ ଢାଞ୍ଚା ପ୍ରସ୍ତୁତ ନେଇ ବ୍ୟବସ୍ଥା ରହିଛି। ଫସଲ ବୁଣିବା ପୂର୍ବରୁ କୃଷକମାନେ ଗ୍ରାହକଙ୍କୁ ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ସିଧାସଳଖ ସାମଗ୍ରୀ ବିକ୍ରି କରିବା ଲାଗି ରାଜିନାମା ବ୍ୟବସ୍ଥା ରହିଛି। ତେବେ ଏହି ଆଇନରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସଂପର୍କରେ ଉଲ୍ଲେଖ ନାହିଁ। ଉକ୍ତ ଆଇନରେ କୃଷକମାନେ ସେମାନଙ୍କ ସାମଗ୍ରୀକୁ ଯେଉଁଠି ଚାହିଁବେ ସେଠାରେ ବିକ୍ରି କରିବାର ସ୍ବାଧୀନତା ପାଇଛନ୍ତି ବୋଲି ସରକାର ଦାବି କରୁଛନ୍ତି। କିନ୍ତୁ ଏହାଦ୍ବାରା କୃଷିକ୍ଷେତ୍ରକୁ କର୍ପୋରେଟ୍ ଜଗତ ମାଡ଼ିବସିବେ ବୋଲି କୃଷକମାନଙ୍କ ଆଶଙ୍କା ରହିଛି। କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନେ କର୍ପୋରେଟମାନଙ୍କ ଦ୍ବାରା ଶୋଷିତ ହେବେ ବୋଲି କୁହାଯାଉଛି।
ଅତ୍ୟାବଶ୍ୟ ସାମଗ୍ରୀ (ସଂଶୋଧନ) ଆଇନ :
ଉକ୍ତ ନୂଆ ଆଇନ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ରେ ଥିବା ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ଅତି ଜରୁରୀ ପରିସ୍ଥିତିକୁ ଛାଡ଼ିଦେଲେ ଖାଦ୍ୟ ସାମଗ୍ରୀର ଷ୍ଟକ ମହଜୁଦ ରଖିବା ନେଇ ସୀମା ନିର୍ଦ୍ଧାରଣ କରିବାର ଯେଉଁ କ୍ଷମତା ରହିଥିଲା ତାହାକୁ ହଟାଇ ଦିଆଯାଇଛି। ଏଥିସହିତ ଖାଇବା ତେଲ, ପିଆଜ ଏବଂ ଆଳୁକୁ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ଦିଆଯାଇଛି। ନୂଆ ଆଇନ ଅନୁଯାୟୀ କୃଷି ସାମଗ୍ରୀର ଷ୍ଟକ ଲିମିଟ ମୂଲ୍ୟବୃଦ୍ଧି ଆଧାରରେ କରାଯିବ। ଉଦ୍ୟାନକୃଷି ସାମଗ୍ରୀର ଦରରେ ୧୦୦ ପ୍ରତିଶତ ବୃଦ୍ଧି ହେଲେ ଷ୍ଟକ ଲିମିଟ୍ ଲାଗୁ ହୋଇପାରିବ। ଅଣ ପଚନଶୀଳ କୃଷିଜାତ ଖାଦ୍ୟ ସାମଗ୍ରୀର ଦରରେ ୫୦ ପ୍ରତିଶତ ବୃଦ୍ଧି ହେଲେ ଷ୍ଟକ ଲିମିଟ୍ ଧାର୍ଯ୍ୟ ହେବ ବୋଲି ବ୍ୟବସ୍ଥା ରହିଛି।