ସିଲିଣ୍ଡର ପରେ ଗ୍ୟାସ୍ କନେକ୍ସନ ମହଙ୍ଗା: ଏବେ ୧୪୫୦ ବଦଳରେ ଦେବାକୁ ପଡିବ ୨୨୦୦ ଟଙ୍କା

ନୂଆଦିଲ୍ଲୀ: ଦିନକୁ ଦିନ ସବୁ ସାମଗ୍ରୀର ଦରଦାମ୍ ବଢ଼ିବାରେ ଲାଗିଛି । କିଛିଦିନ ତଳେ ଗ୍ୟାସ ସିଲିଣ୍ଡର ଦାମ୍ ବଢ଼ିଥିବା ବେଳେ ଆଜି ସାଧାରଣ ଲୋକଙ୍କୁ ମିଳିଛି ଆଉ ଏକ ଝଟକା । ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଘରୋଇ ଗ୍ୟାସ କନେକ୍ସନର ଦାମ୍ ବଢ଼ାଇ ଦେଇଛନ୍ତି । ପୂର୍ବରୁ ଗ୍ୟାସ୍ ସିଲିଣ୍ଡର କନେକ୍ସନ ପାଇଁ ୧୪୫୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ଏଥିପାଇଁ ଆପଣଙ୍କୁ ୭୫୦ ଟଙ୍କା ଅଧିକ ଅର୍ଥାତ୍ ୨୨୦୦ ଟଙ୍କା ଦେବାକୁ ପଡିବ ।

ପେଟ୍ରୋଲିୟମ କମ୍ପାନୀ ପକ୍ଷରୁ ୧୪.୨ କିଲୋଗ୍ରାମର ପ୍ରତି ସିଲିଣ୍ଡର ପିଛା ଟଙ୍କା ବୃଦ୍ଧି କରାଯାଇଛି  । ଅର୍ଥାତ୍ ଯଦି ଆପଣ ୨ଟି ଗ୍ୟାସ୍ ସିଲିଣ୍ଡର ଆଣୁଛନ୍ତି ଆପଣଙ୍କୁ ୨୨୦୦ ଟଙ୍କା ସ୍ଥାନରେ ୪୪୦୦ ଟଙ୍କା ଦେବାକୁ ପଡିବ  । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ୨ଟି ଗ୍ୟାସ୍ ସିଲିଣ୍ଡର କିଣିଲେ ୨୯୦୦ ଟଙ୍କା ଦେବାକୁ ପଡୁଥିଲା  । ଏହି ନୂଆ ନିୟମ ଆଗାମୀ ୧୬ ଜୁନରୁ ଲାଗୁ ହେବ  ।

ସେହିଭଳି ରେଗୁଲେଟର ପାଇଁ ୧୫୦ ଟଙ୍କା ବଦଳରେ ୨୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ  । ଇଣ୍ଡିଆନ୍ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପକ୍ଷରୁ କରାଯାଇଥିବା ନୂତନ ନିୟମ ଅନୁସାରେ ଏଥର ୫ କିଲୋ ସିଲିଣ୍ଡର ସିକ୍ୟୁରିଟି ପାଇଁ ୮୦୦ ବଦଳରେ ୧୧୫୦ ଟଙ୍କା ଦେବାକୁ ହେବ  ।

ଜାଣନ୍ତୁ ନୂଆ ନିୟମର ଦର:-

ନନ୍ ସବସିଡ୍ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ-୧୦୬୫ ଟଙ୍କା

ସିଲିଣ୍ଡର ପାଇଁ ସିକ୍ୟୁରିଟି ରାଶି-୨୨୦୦ ଟଙ୍କା

ରେଗୁଲେଟର ପାଇଁ-୨୫୦ ଟଙ୍କା

ପାସବୁକ୍ ପାଇଁ-୨୫ ଟଙ୍କା

ପାଇପ୍ ପାଇଁ-୧୫୦ଟଙ୍କା

ନୂଆ ସିଲିଣ୍ଡର ପାଇଁ ୩୬୯୦ ଟଙ୍କା ଦେବାକୁ ପଡିବ ।