ଦେଢ଼ଲକ୍ଷ ଟପିଲା ସୁନା : ରୁପା ୩,୩୦୦ ଟଙ୍କା

ଭୁବନେଶ୍ୱର,୨୧/୧ : ଦେଶରେ ସୁନା ଓ ରୁପା ଦାମ୍ ଥମିବାର ନାଁ ନେଉନି । ଗତକାଲି ଅପେକ୍ଷା ଆଜି ଦେଶରେ ସୁନା ଦାମ୍ ୧୦ ଗ୍ରାମ ପିଛା ୭,୪୮୦ ଟଙ୍କା ବୃଦ୍ଧି ପାଇ ଦେଢ଼ ଲକ୍ଷ ପାର୍ କରିଛି । ରୂପା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୧୦୦ଟଙ୍କା ବୃଦ୍ଧି ହୋଇଛି ।

ଆଜିର ସୁନା ଓ ରୂପା ଦର ଅନୁସାରେ ସୁନା ପ୍ରଥମ ଥର ଦେଢ଼ ଲକ୍ଷ ପାର୍ କରି ୧,୫୭,୨୬୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି । ସେହିପରି ରୁପା ଦାମ୍ କିଲୋ ପିଛା ୩,୩୦,୦୦୦ ଟଙ୍କାରେ ପହଞ୍ଚିଛି । ଆଜି ଦିଲ୍ଲୀ ଓ ମୁମ୍ବଇ ସହରରେ ୨୪ କ୍ୟାରେଟ ସୁନା ଦର ୧,୫୭,୨୬୦ ଟଙ୍କା ପ୍ରତି ୧୦ଗ୍ରାମ ରହିଛି । ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ ୧,୪୪,୧୫୦ ଟଙ୍କା ଓ ୧୮ କ୍ୟାରେଟ ସୁନାର ମୂଲ୍ୟ ୧,୧୭,୯୪୦ ଟଙ୍କା ରହିଛି । ସେହିପରି ରୂପା ଦର ମଧ୍ୟ ବୃଦ୍ଧି ହୋଇଛି । ଏକ କିଲୋଗ୍ରାମ ରୁପା ଦର ୩,୩୦,୦୦୦ ଟଙ୍କା ରହିଛି ।

ଓଡିଶା ବଜାରରେ ମଧ୍ୟ ଏହାର ବିଶେଷ ପ୍ରଭାବ ରହିଛି । କଟକ ଓ ଭୁବନେଶ୍ୱର ସହର ସମେତ ରାଜ୍ୟରେ ମଧ୍ୟ ସୁନା ଦର ସମାନ ଦର ରହିଛି । ରୁପା ଦର ଏକ କିଲୋଗ୍ରାମ ପିଛା ୩,୪୦,୦୦୦ ଟଙ୍କା ରହିଛି ।

ସୁନା ତୁଳନାରେ ଗତ କିଛିଦିନ ହେଲା ରୁପା ଦର ଅଧିକ ମାତ୍ରାରେ ବଢ଼ୁଛି। ଗତ ୨୦ ଦିନ ମଧ୍ୟରେ ଏହାର ଦର ୨୮.୯୧ ପ୍ରତିଶତ ବଢ଼ିଯାଇଛି। ଜାନୁଆରି ପହିଲାରେ ଭୁବନେଶ୍ବର ବଜାରରେ ରୁପା ଦର କିଲୋଗ୍ରାମ୍‌ ପିଛା ୨,୫୬,୦୦୦ ଟଙ୍କା ଥିଲା। କିନ୍ତୁ ଇତିମଧ୍ୟରେ କିଲୋଗ୍ରାମ ପିଛା ରୁପା ୭୪ ହଜାର ଟଙ୍କା ମହଙ୍ଗା ହୋଇଯାଇଛି। ଗ୍ରିନଲାଣ୍ଡ୍‌କୁ ନେଇ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି। ଗ୍ରିନଲାଣ୍ଡ୍‌ ଅକ୍ତିଆରକୁ ବିରୋଧ କଲେ ୟୁରୋପର ୮ଟି ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଆସନ୍ତା ଫେବ୍ରୁଆରି ପହିଲାରୁ ଲଗାଇବେ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ଏପରିକି ଜୁନ୍‌ ବେଳକୁ ଏହାକୁ ୨୫ ପ୍ରତିଶତକୁ ବଢ଼ାଇବେ ବୋଲି ଧମକ ଦେଇଛନ୍ତି। ବିଶ୍ବ ବାଣିଜ୍ୟରେ ଟ୍ରମ୍ପଙ୍କ ଶୁଳ୍କ ଧମକକୁ ନେଇ ଚିନ୍ତା ବଢ଼ିଯାଇଛି। ନିବେଶକମାନେ ସୁନା ଓ ରୁପା ଭଳି ନିରାପଦ ଧାତୁରେ ନିବେଶ ପାଇଁ ପସନ୍ଦ କରୁଛନ୍ତି। ଏଥିପାଇଁ ଏହି ଧାତୁର ଚାହିଦା ବୃଦ୍ଧି ଘଟିଛି। ଏହାର ପ୍ରଭାବରେ ଦର ମାତ୍ରାଧିକ ବୃଦ୍ଧି ପାଉଥିବା କୁହାଯାଉଛି।