ଆଜି ଭାରତ – ୱେଷ୍ଟ ଇଣ୍ଡିଜ ପ୍ରଥମ ଟି-୨୦ : ପ୍ରସାରଣ ରାତ୍ରି ୮ଟା

ଟରୌବା,୨୯/୦୭: ଆଜି ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟି-ଟ୍ୱେଣ୍ଟି ଦଳ ଅଭ୍ୟାସ ଆରମ୍ଭ କରିଛି । ଏହି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଷ୍ଟାର୍‌ ବ୍ୟାଟର ବିରାଟ କୋହଲି, ପେସ୍‌ ବୋଲର ଜଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲଙ୍କୁ ଦେଖିବାକୁ ମିଳିବ ନାହିଁ । କୋହଲି ଓ ବୁମରାଙ୍କୁ ସମ୍ପୂର୍ଣ୍ଣ ୱେଷ୍ଟ ଇଣ୍ଡିଜ୍‌ ଗସ୍ତରୁ ବାଦ ଦିଆଯାଇଛି ।

ଭାରତର ଯୁବ ଖେଳାଳିମାନଙ୍କ ପ୍ରଦର୍ଶନ ବେଶ୍‌ ପ୍ରଭାବଶାଳୀ ରହିଛି । ତେଣୁ କୋହଲି, ବୁମରା ଓ ରାହୁଲଙ୍କ ଅନୁପସ୍ଥିତି ଅନୁଭବ ହେବ ନାହିଁ। ଚହଲଙ୍କ ସ୍ଥାନ ପୂରଣ କରିବା ପାଇଁ ଭେଟେରାନ ସ୍ପିନର ରବି ଚନ୍ଦ୍ରନ ଅଶ୍ୱିନ ଓ କୁଲଦୀପ ଯାଦବ ଦଳରେ ରହିଛନ୍ତି ।

ଆଜି ଭାରତ ଶ୍ରେଷ୍ଠ ଦଳ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ରୋହିତଙ୍କ ସହ ରିଷଭ ପନ୍ତଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ମିଳିବା ଆଶା କରାଯାଉଛି । ମଧ୍ୟ ଭାଗରେ ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ଦିନେଶ କାର୍ତ୍ତିକ ଓ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି ।