ଭାରତରେ ୨ ଜଣ ‘ଜାତିର ପିତା’ ଅଛନ୍ତି : ଅମୃତା ଫଡଣବିସ

ମୁମ୍ବାଇ,୨୧/୧୨: ବର୍ତ୍ତମାନ ଭାରତର ଦୁଇ ଜଣ ‘ଜାତିର ପିତା’ ଅଛନ୍ତି। ଏହା କହିଛନ୍ତି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସଙ୍କ ପତ୍ନୀ ଅମୃତା ଫଡଣବିସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ‘ନ୍ୟୁ ଇଣ୍ଡିଆର ରାଷ୍ଟ୍ରୀୟ ପିତା’ । ବ୍ୟାଙ୍କର ତଥା ଗାୟକ ଅମୃତା ଏକ ମକ୍ ଅଦାଲତ ସାକ୍ଷାତକାର ସମୟରେ ଉପରୋକ୍ତ ଟିପ୍ପଣୀ କରିଛନ୍ତି।

କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଯଶୋମତୀ ଠାକୁର ଫଡଣବିସଙ୍କ ପତ୍ନୀ ଅମୃତାଙ୍କୁ ତାଙ୍କର ଟିପ୍ପଣୀକୁ ନେଇ କଡା ଶବ୍ଦରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଏମିତି ଲୋକ ଗାନ୍ଧୀ ଜୀଙ୍କ ବାରମ୍ବାର ହତ୍ୟା କରି ବିଜେପି ଏବଂ ଆରଏସଏସର ଆଦର୍ଶକୁ ପ୍ରଚାର ପ୍ରସାର କରୁଛନ୍ତି। ସେମାନେ ବାରମ୍ବାର ମିଥ୍ୟା କହି ଭାରତର ଇତିହାସ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି। ଗାନ୍ଧୀ ଜୀଙ୍କ ପରି ମହାନ ବ୍ୟକ୍ତିଙ୍କ ଅପମାନ କରୁଛନ୍ତି ବୋଲି ଠାକୁର କହିଛନ୍ତି।

ମୋକ କୋର୍ଟ ସାକ୍ଷାତକାରରେ ଅମୃତାଙ୍କୁ ଗତ ବର୍ଷ ମୋଦୀଙ୍କୁ ଜାତିର ପିତା କହିବା ନେଇ ପ୍ରଶ୍ନ ହୋଇଥିଲା। ଯଦି ମୋଦୀ ଜାତିର ପିତା ତେବେ ମହାତ୍ମା ଗାନ୍ଧୀ କିଏ ? ଏହି ପ୍ରଶ୍ନର ଉତ୍ତରରେ ଅମୃତା କହିଛନ୍ତି, ମହାତ୍ମା ଗାନ୍ଧୀ ଦେଶର ଜାତିର ପିତା ଏବଂ ମୋଦୀ ନ୍ୟୁ ଇଣ୍ଡିଆର ରାଷ୍ଟ୍ରୀୟ ପିତା। ବର୍ତ୍ତମାନ ଆମ ପାଖରେ ଦୁଇ ଜଣ ଜାତିର ପିତା ଅଛନ୍ତି ବୋଲି ଅମୃତା କହିଛନ୍ତି।

ଅମୃତାଙ୍କ ଏହି ଟିପ୍ପଣୀ ସେହି ସମୟରେ ଆସିଛି, ଯେବେ କିଛି ଦିନ ପୂର୍ବେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ଛତ୍ରପତି ଶିବାଜୀ ମହାରାଜଙ୍କ ବିଷୟରେ ନିଜର ଟିପ୍ପଣୀକୁ ନେଇ ବିରୋଧୀ ପ୍ରଶ୍ନ କରିଥିଲେ।

 

SBI AD