ଏମ୍ସରେ ସଫଳ ଅସ୍ତ୍ରୋପଚାର: ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ହାତ ଫେରିପାଇଲେ ଯୁବତୀ

ଭୁବନେଶ୍ୱର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଂଚଳର ଯୁବତୀ ବର୍ଷା ଦାସ(୨୫) ପୁଣି ଥରେ ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ନିଜର ବାମ ହାତ ଫେରିପାଇଛନ୍ତି । ଏମ୍ସ ଭୁବନେଶ୍ୱର ଡାକ୍ତରଙ୍କ ଦ୍ୱାରା ଦୀର୍ଘ ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ସଫଳତାର ସହିତ ଯୋଡ଼ା ହେଲା ସଂପୂର୍ଣ୍ଣ ଅଲଗା ହୋଇଯାଇଥିବା ବର୍ଷାଙ୍କ ବାମ ହାତ । ଚଳିତ ମାସ ୯ ତାରିଖ ରାତି ପ୍ରାୟ ୯ ଟା ସମୟରେ ଏମ୍ସ ଭୁବନେଶ୍ୱର ଜରୁରୀକାଳୀନ ବିଭାଗକୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆସିଥିଲେ ଉକ୍ତ ଯୁବତୀ । ହସ୍ପିଟାଲ ଆସିବା ସମୟରେ ତାଙ୍କ ବାମ ହାତ ସମ୍ପୂର୍ଣ୍ଣ ଭାବରେ ଛିଡ଼ି ଯାଇଥିଲା ।

ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଧାନ କୁଟା ମେସିନରେ କାମ କରୁଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ସମୟରେ ଅସାବଧାନତାବଶତ ହାତ ପଶିଯାଇଥିଲା । ପରେ ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଛିଡିଯାଇଥିବା ହାତର ଅଂଶକୁ ଏକ କପଡ଼ାରେ ଗୁଡ଼ାଇ ଏକ ବରଫ ଥଳୀରେ ରଖି ଏମ୍ସକୁ ଅଣାଯାଇଥିଲା । ବର୍ଷାଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ତୁରନ୍ତ ପ୍ରତିରୋପଣ କରିବାର ଯୋଜନା କରିଥଲେ । ବର୍ନସ୍ ଏବଂ ପ୍ଲାଷ୍ଟିକ ବିଭାଗ ମୁଖ୍ୟ ଡ. ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଅସ୍ଥିଶଲ୍ୟ ଏବଂ ନିଶ୍ଚେତକ ବିଭାଗର ଡ଼ାକ୍ତରମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ଟିମ୍ ଗଠନ କରାଯାଇ ହାତ ପ୍ରତିରୋପଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଏହି ଦଳରେ ବର୍ନସ୍ ଏବଂ ପ୍ଲାଷ୍ଟିକ ବିଭାଗର ଡ. ଶାନ୍ତନୁ ସୁବା, ଡ. ପ୍ରିୟଙ୍କା ପନ୍ତ, ଡ. ଆକାଂକ୍ଷା ରାଜପୁତ, ଡ. ବିଷ୍ଣୁ ପ୍ରମୁଖ ରହିଥିବା ବେଳେ ଅସ୍ଥିଶଲ୍ୟ ବିଭାଗରୁ ଡ. ନିଖିଲ ଏବଂ ଡ. ମନୋଜ, ନିଶ୍ଚେତକ ବିଭାଗରୁ ଡ. ଜୟନ୍ତ ମିତ୍ର, ଡ. ହୃଷୀକେଶ ଏବଂ ଡ. ଶୈଳଯା ସାମିଲ ଥିଲେ । ନର୍ସିଂ ଅଧିକାରୀ ବାବୁଲାଲ ଏବଂ ଜସୱନ୍ତ ସିଂ ପ୍ରମୁଖ ସହଯୋଗ କରିଥିଲେ । ସକାଳ ୮ଟା ପର୍ଯ୍ୟନ୍ତ ଅସ୍ତ୍ରୋପଚାର ଚାଲିଥିଲା ଏବଂ ପରେ ରୋଗୀଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ଅସ୍ତ୍ରୋପଚାରର ପ୍ରାୟ ଦୁଇ ସପ୍ତାହ ପରେ ବର୍ତମାନ ବର୍ଷାଙ୍କର ହାତରେ ରକ୍ତ ସଂଚାଳନ କରୁଛି । ଯାହାକି ବେଶ୍ ଖୁସିର ବିଷୟ ବୋଲି ଡ. ଗିରି ପ୍ରକାଶ କରିଛନ୍ତି । ଆଜି ୱାର୍ଡରେ ଯୁବତୀଙ୍କୁ ସାକ୍ଷାତ କରିଥଲେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ । ଡାକ୍ତରୀ ଦଳର ସାହସିକ କାର୍ଯ୍ୟ ଏବଂ ଯୁବତୀଙ୍କ ଧର୍ଯ୍ୟକୁ ପ୍ରଶଂସା କରିଥିଲେ ଡ. ବିଶ୍ୱାସ ।