ନୂଆଦିଲ୍ଲୀ: ଚୀନ୍ ଓ ଆମେରିକା ସହ ଅନେକ ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି । ଭାରତରେ ମାମଲା ସ୍ଥିର ଥିଲେ ବି ଆଗକୁ ବଢିବାର ସମ୍ଭାବନା ରହିଛି, ଯାହାକୁ ନେଇ ବଡ଼ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ୱିଟ୍ କରି କହିଛନ୍ତି ଯେ, ୧ ଜାନୁଆରୀ ୨୦୨୩ରୁ ଚୀନ୍, ହଙ୍ଗକଙ୍ଗ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକକ କରାଯାଇଛି । ଯାତ୍ରୀମାନଙ୍କୁ ଯାତ୍ରା ପୁର୍ବରୁ ଏୟାର ସୁବିଧା ପୋର୍ଟାଲରେ ଏହି ରିପୋର୍ଟକୁ ଅପଲୋଡ କରିବାକୁ ପଡ଼ିବ ।
ଆଗାମୀ ୪୦ ଦିନ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ କହିବା ପରେ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି । ଜାନୁଆରୀ ମାସରେ ଭାରତରେ କରୋନା ମାମଲା ବୃଦ୍ଧି ପାଇପାରେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ସୁତ୍ରରୁ ଖବର ମିଳିଥିଲା ।
ଜଣେ ଅଧିକାରୀ କହିଛନ୍ତି, ‘ଅତୀତରେ ଏହା ଦେଖାଯାଇଛି ଯେ ପୂର୍ବ ଏସିଆରେ କରୋନା ମହାମାରୀ ଏହାର ପ୍ରଭାବ ବିସ୍ତାର କରିବାର ୩୦-୩୫ ଦିନ ପରେ ମହାମାରୀର ଏକ ନୂଆ ଲହର ଭାରତକୁ ଆସିଥିଲା । ଏହା ଏକ ଧାରା ହୋଇସାରିଛି । ତେଣୁକରି ଭାରତ ସରକାର ଏବେଠୁ ସତର୍କତା ମୁଳକ ଭାବେ ଏଭଳି ନିଷ୍ପତି ନେଉଛନ୍ତି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ ସଂକ୍ରମଣର ଗମ୍ଭୀରତା କମ୍ । କୋଭିଡ ଏକ ନୂଆ ଲହର ଅସିଲେ ମଧ୍ୟ ସଂକ୍ରମିତ ଲୋକଙ୍କ ମୃତ୍ୟୁ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବା ହାର ବହୁତ କମ୍ ହେବ ।’
