ଆସନ୍ତା ବର୍ଷ ୬୨ ହଜାର ହେବ ସୁନା ଦର , ରୂପା ହେବ ୧୦ ହଜାର

ନୂଆଦିଲ୍ଲୀ,୩୦/୧୨: ଆସନ୍ତା ବର୍ଷ ପ୍ରତି ୧୦ ଗ୍ରାମ ସୁନା ଦର ୬୨ ହଜାରକୁ ପହଞ୍ଚିବ। ସେହିପରି ପ୍ରତି ୧୦ ଗ୍ରାମ ରୂପା ଦର ୧୦ ହଜାର ଟଙ୍କାକୁ ଛୁଇଁବ ବୋଲି ଅନୁମାନ କରାଯାଉଛି। ଆଇସିଆଇସିଆଇ ୨୦୨୩ରେ ମୂଲ୍ୟବାନ ଧାତୁ ଦରକୁ ନେଇ ଆଜି ଏକ ରିପୋର୍ଟ ଜାରି କରିଛନ୍ତି। ଯେଉଁଥିରେ ୨୦୨୩ ମସିହାରେ ସୁନା ପ୍ରତି ୧୦ ଗ୍ରାମ ଦର ୬୨ ହଜାରକୁ ପହଞ୍ଚିବ,ଯାହା ସୁନାର ସର୍ବକାଳିକ ରେକର୍ଡ ମୂଲ୍ୟ ବୋଲି ଆକଳନ କରାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ପ୍ରତି ୧୦ ଗ୍ରାମ ସୁନା ଦର ଏବେ ୫୪, ୩୭୦ ଟଙ୍କା ଆଖପାଖରେ କାରବାର କରୁଛି। ତେବେ ୨୦୨୩ରେ ସୁନା ଦରରେ ୧୩.୨୮ ପ୍ରତିଶତ ବୃଦ୍ଧି ସହ ପ୍ରତି ୧୦ ଗ୍ରାମ ଦର ୬୨ ହଜାରକୁ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ସେହିଭଳି ଏବେ ବଜାରରେ ପ୍ରତି ୧୦ ଗ୍ରାମ ରୂପା ୬,୮୦୦ ଟଙ୍କାରେ କାରବାର ହେଉଥିବା ବେଳେ ୧୬.୧୬ ପ୍ରତିଶତ ବୃଦ୍ଧି ସହ ୧୦ ହଜାର ଟଙ୍କାକୁ ପହଞ୍ଚିବାର ସମ୍ଭାବନା ରହିଛି।

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ବୈଶ୍ୱିକ ବିକାଶ ଅନୁମାନକୁ ସଂଶୋଧନ କରିଛନ୍ତି। ଏଣୁ ମୁଦ୍ରାସ୍ପିତିରେ ହ୍ରାସ ସହ ଡଲାରରେ ଆସିବାକୁ ଥିବା ଦୁର୍ବଳତା କେନ୍ଦ୍ରୀୟ ବ୍ୟାଙ୍କମାନଙ୍କ ସୁଧହାରରେ ଜାରି ବୃଦ୍ଧିରେ ରୋକ ଲଗାଇବ। ଫଳରେ ଚୀନ୍‌ ପରିସ୍ଥିତି ସ୍ୱଭାବିକ ହେବା ସହ କମଡିଟି ବଜାର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିବ। ରିପୋର୍ଟରେ କୁହାଯାଇଛି ଯେ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଏବେ ସୁସ୍ଥିଆ ହୋଇପଡିଛି।