ପୁରୀ,୨/୧: ନାବାଳିକା ଛାତ୍ରୀକୁ ଟ୍ୟୁସନ ସାର୍ ନେଇ ଫେରାର । ଘଟଣାଟି ଗତ ଡ଼ିସେମ୍ବର ୭ ରେ ସଦର ଥାନା ଅନ୍ତର୍ଗତ ତଳଜଙ୍ଗ ଗାଁରେ ଘଟିଛି। ନାବାଳିକା ତଥା ଦଶମ ଶ୍ରେଣୀର ଛାତ୍ରୀ ଜଣକ ଏହି ଗାଁର ବିକ୍ରମ ନାୟକଙ୍କ ପାଖେ ଟ୍ୟୁସନ ହେଉଥିଲେ। ଛାତ୍ରୀଙ୍କୁ ଟ୍ୟୁସନ କରିବା ସହିତ ବିକ୍ରମ ପ୍ରତ୍ୟେକ ଦିନ ରାତିରେ ତାଙ୍କୁ ଫୋନ କରୁଥିଲେ। ଏହି ଘଟଣା ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପରେ ଟ୍ୟୁସନ୍ ମାଷ୍ଟର ବିକ୍ରମ୍ଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା।
କିଛି ଦିନ ଜେଲରେ ରହିବା ପରେ ବିକ୍ରମ ମୁକୁଳିଥିଲେ। କିନ୍ତୁ ଡ଼ିସେମ୍ବର ୭ ରେ ନାବାଳିକାଙ୍କୁ ନେଇ ବିକ୍ରମ ଫେରାର ହୋଇଥିବା ନାବାଳିକାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ପରିବାର ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଝିଅକୁ ଖୋଜିବାରେ ବିଳମ୍ବ ହେବାରୁ ପରିବାର ଲୋକ ବାରମ୍ବାର ଥାନାକୁ ଦୌଡ଼ି ଥିଲେ। କିନ୍ତୁ ପରିବାର ଲୋକଙ୍କୁ ସେଠାରେ ପୋଲିସଙ୍କ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଥିଲା। ଏନେଇ ନାବାଳିକାଙ୍କ ଦିବ୍ୟାଙ୍ଗ ବାପା ଅଭିଯୋଗ ଆଣିଛନ୍ତି। ଝିଅକୁ ଫେରି ପାଇବା ଆଶାରେ ଥାନାକୁ ଯାଇ ପୋଲିସର ଦୁର୍ବ୍ୟବହାର ବିରୋଧରେ ସୋମବାର ପରିବାର ଲୋକ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି।
