ଖୁବ୍‌ ଶୀଘ୍ର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର କମିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮/୧୨ : ଖୁବ୍‌ ଶୀଘ୍ର ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀର ଦର କମିବ ବୋଲି ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୯୯ ପ୍ରତିଶତ ସାମଗ୍ରୀ ଉପରେ ବର୍ତ୍ତମାନ ଲାଗୁ ହୋଇଥିବା ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି)କୁ କମାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଏ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମଙ୍ଗଳବାର କହିଛନ୍ତି ।

ବର୍ତ୍ତମାନ ବହୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ୧୮ ପ୍ରତିଶତରୁ ଅଧିକ ଜିଏସ୍‌ଟି ଲାଗୁ ହୋଇଛି । ଫଳରେ ସେସବୁ ସାମଗ୍ରୀର ଦର ଅଧିକ ରହିଛି, ଏହା ଉପରେ ସରକାର ଚିନ୍ତା କରୁଛନ୍ତି। ୧୮ ପ୍ରତିଶତ ଜିଏସ୍‌ଟି ସ୍ତର ମଧ୍ୟରେ ୯୯ ପ୍ରତିଶତ ସାମଗ୍ରୀକୁ ରଖିବା ଲାଗି ଯୋଜନା ଆରମ୍ଭ ହୋଇଛି। ୧୮ ପ୍ରତିଶତ କିମ୍ବା ତଦ୍ଦୁର୍ଦ୍ଧ୍ୱ ଜିଏସ୍‌ଟି କେବଳ ବିଳାସମୟ ସାମଗ୍ରୀ ଉପରେ ଲାଗୁ ହେବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ସାଧାରଣ ଜନତାଙ୍କୁ ଯେପରି ଆର୍ଥିକି ବୋଝ ନପଡେ ସେ ନେଇ ଆମେ ଉଦ୍ୟମ କରୁଛୁ। ଯଦି ୯୯ ପ୍ରତିଶତ ସାମଗ୍ରୀ ଉପରେ ଜିଏସ୍‌ଟି ୧୮ ପ୍ରତିଶତ ତଳକୁ ପଳାଇ ଆସେ ,ତେବେ ଲୋକେ ଅସୁବିଧା ଭୋଗ କରିବେ ନାହିଁ ।

ବର୍ତ୍ତମାନ ଯେଉଁ ଜିଏସ୍‌ଟି ହାର ରହିଛି ତାହା ପୂର୍ବରୁ ବିଭିନ୍ନ ରାଜ୍ୟରେ ନିଆଯାଇଥିବା ଭାଟ୍‌ ଓ ଅବକାରୀ ଶୁଳ୍କର ହାର ଅନୁସାରେ ସ୍ଥିରୀକୃତ ହୋଇଛି। କର ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ କରିବାଲାଗି ରାଜ୍ୟମାନଙ୍କ ସହ ଆଲୋଚନା ଜାରି ରହିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ରିପବ୍ଲିକ୍‌ ସମିଟ୍‌ରେ ଅଂଶଗ୍ରହଣ କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ମୋଦି। ଜିଏସ୍‌ଟି ଭଳି ଟିକସ ସଂସ୍କାର ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଏକ ବିରାଟ ଉପଲବ୍ଧି ବୋଲି ପ୍ରଧାନମନ୍ତ୍ରୀ ମତ ରଖିଛନ୍ତି।