ମୁମ୍ବାଇ,୧୫/୨: ପ୍ରଥମଥର ପାଇଁ ଟିମ ଇଣ୍ଡିଆ କ୍ରିକେଟର ୩ଟି ଯାକ ଫର୍ମାଟରେ ୧ନଂ ସ୍ଥାନ ଦଖଲ କରିଛି। ପୂର୍ବରୁ ଭାରତ ଆଇସିସିର ଦିନିକିଆ ଓ ଟି-୨୦ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲା। ଆଜି ଆଇସିସି ଜାରି କରିଥିବା ଟେଷ୍ଟ ରାଙ୍କିଙ୍ଗରେ ମଧ୍ୟ ଭାରତ ୧ନଂ ସ୍ଥାନରେ ପହଞ୍ଚି ଯାଇଛି।
ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ ୨ନଂ ସ୍ଥାନରେ ରହିଥିଲା। ହେଲେ ଅଷ୍ଟ୍ରେଲିଆକୁ ଦଳ ପ୍ରଥମ ଟେଷ୍ଟରେ ଇନିଂସ ଓ ୧୩୨ ରନରେ ହରାଇବା ପରେ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛି।
ଚଳିତ ବର୍ଷ ନ୍ୟୁଜିଲ୍ୟାଣ୍ଡକୁ ୩-୦ରେ ହରାଇ ଭାରତ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଥିଲା। ଏବେ ଭାରତ ଟେଷ୍ଟରେ ମଧ୍ୟ ୧ନଂ ସ୍ଥାନ ଦଖଲ କରିଛି। ଭାରତ ୩୨ଟି ମ୍ୟାଚ୍ରୁ ୧୧୫ ପଏଣ୍ଟ ସହ ୧ନଂ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହ ୨ନଂକୁ ଖସିଛି। ଇଂଲଣ୍ଡ ୩ନଂରେ, ନ୍ୟୁଜିଲ୍ୟାଣ୍ଡ ୪ନଂରେ ଓ ଦକ୍ଷିଣ ଆଫ୍ରିକା ୫ନଂ ସ୍ଥାନରେ ରହିଛି।
ଦିନିକିଆରେ ଭାରତ ୧ନଂ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨ନଂ, ନ୍ୟୁଜିଲ୍ୟାଣ୍ତ ୩ନଂ, ଇଂଲଣ୍ଡ ୪ନଂରେ ଓ ପାକିସ୍ତାନ ୫ନଂରେ ରହିଛି। ସେହିପରି ଟି-୨୦ରେ ମଧ୍ୟ ଭାରତ ଆଇସିସି ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ଓ ପାକିସ୍ତାନ ଯଥାକ୍ରମେ ୨ୟ ଏବଂ ୩ୟ ସ୍ଥାନରେ ଅଛନ୍ତି।
