ନୂଆଦିଲ୍ଲୀ,୨୨/୨: ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ୬ ବର୍ଷ ଧାର୍ଯ୍ୟ କରିବାକୁ ଶିକ୍ଷା ମନ୍ତ୍ରାଳୟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି। ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) ଅନୁଯାୟୀ, ମୂଳ ପର୍ଯ୍ୟାୟରେ ସମସ୍ତ ପିଲାଙ୍କ ପାଇଁ ପାଞ୍ଚ ବର୍ଷର ଶିକ୍ଷଣ ସୁଯୋଗ (୩ରୁ ୮ ବର୍ଷ ମଧ୍ୟରେ) ରହିଛି, ଯେଉଁଥିରେ ତିନି ବର୍ଷର (ପ୍ରି) ପ୍ରାକ୍-ସ୍କୁଲ ଶିକ୍ଷା ଏବଂ ଏହା ପରେ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଅନ୍ତର୍ଭୁକ୍ତ।
ତେଣୁ ଏହି ନୀତି ପ୍ରି-ସ୍କୁଲରୁ ଦ୍ଵିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିରବଚ୍ଛିନ୍ନ ଶିକ୍ଷଣ ଓ ବିକାଶକୁ ପ୍ରୋତ୍ସାହିତ କରୁଛି। ଅଙ୍ଗନଓ୍ଵାଡ଼ି କିମ୍ବା ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ଏବଂ ଏନଜିଓ ଦ୍ୱାରା ପରିଚାଳିତ ପ୍ରି-ସ୍କୁଲ ସେଣ୍ଟରରେ ପଢୁଥିବା ସମସ୍ତ ପିଲାଙ୍କ ପାଇଁ ତିନି ବର୍ଷର ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଉପଲବ୍ଧ କରାଇବା ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ମନ୍ତ୍ରାଳୟ ଦେଶର ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ଯେ ସେମାନେ ପିଲାଙ୍କ ବୟସକୁ ଏହି ନୀତି ସହିତ ଯୋଡ଼ିବା ଏବଂ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବ୍ୟବସ୍ଥା କରନ୍ତୁ।