ପିପିଲି : ଦୋଳଯାତ୍ରା ଯେ ନିକଟତର ଏହା ହୃଦ୍ବୋଧ ହୁଏ ପିପିଲି ବଜାରରୁ। କାରଣ ବିଶ୍ୱପ୍ରସିଦ୍ଧ ପିପିଲି ଚାନ୍ଦୁଆ ବଜାର ସଂପ୍ରତି ପୂର୍ଣ୍ଣ ଶୃଙ୍ଗାରରେ ମଣ୍ଡିତ ହୋଇଛି ରଙ୍ଗିନ ଛତ୍ରୀ, ତ୍ରାସ, ଆଲଟ ସାଙ୍ଗକୁ ଦୋଳସଜ୍ଜ ଇତ୍ୟାଦିରେ। ଦୋଳଯାତ୍ରା ଯେତିକି ପାଖେଇ ଆସୁଛି ଚାନ୍ଦୁଆବଜାର ଭିଡ ସେତିକି ବଢ଼ିବାରେ ଲାଗିଛି।
ଉତ୍କଳୀୟ ପରମ୍ପରାରେ ଚାନ୍ଦୁଆ ସର୍ବତ୍ର ଦେବ କାର୍ଯ୍ୟରେ ଲାଗିଥାଏ। ପିପିଲି ଚାନ୍ଦୁଆର ରଙ୍ଗବେରଙ୍ଗ ଅନନ୍ୟ ସୁକ୍ଷ୍ମ କାରୁକାର୍ଯ୍ୟ ଦର୍ଶକଙ୍କ ମନକୁ ମୋହିତ କରିଥାଏ। ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ଚାନ୍ଦୁଆ ଛତ୍ରୀ, ତ୍ରାସ, ଆଲଟ ଇତ୍ୟାଦି ଠାକୁରଙ୍କ ବିଜେ ସମୟରେ ଏକାନ୍ତ ପ୍ରୟୋଜନୀୟ ହୋଇଥିବାରୁ ପ୍ରାୟ ଦୋଳଯାତ୍ରା ପୂର୍ବରୁ ଏହାର ବଜାର ଜମିଥାଏ। ଛତ୍ରୀ ସାଧାରଣତଃ ଦୁଇପ୍ରକାର ଅଟେ। ଯଥା କଳା ଓ ଧଳା ଯାହାକି ରାତି ଓ ଦିନ ଅଥବା ଚନ୍ଦ୍ର ଓ ସୂର୍ଯ୍ୟଙ୍କ ପ୍ରତୀକ ରୂପେ ଗ୍ରହଣ କରାଯାଏ। ଆଗକୁ ଦୋଳଯାତ୍ରା ଆସୁଥିବାରୁ ପିପିଲି ଚାନ୍ଦୁଆ ବଜାରରେ ଭିଡ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଗ୍ରାହକମାନେ ଚାନ୍ଦୁଆ ଛତ୍ରୀ, ତ୍ରାସ, ଆଲଟ ଓ ଦୋଳସଜ୍ଜ ଇତ୍ୟାଦିକୁ କିଣିବାକୁ ପିପିଲି ବଜାରକୁ ଧାଇଁ ଆସୁଛନ୍ତି। ବିଭିନ୍ନ ମଠ ଓ ମନ୍ଦିର ପକ୍ଷରୁ ମଧ୍ୟ ଏହିସବୁ ସମଗ୍ରୀ ପିପିଲି ଚାନ୍ଦୁଆ ବଜାରରୁ ସଂଗ୍ରହ କରାଯାଉଥିବା ସୂଚନା ମିଳିଛି। ପୁରୁଣା ଚାନ୍ଦୁଆ ଛତ୍ରୀ, ତ୍ରାସ, ଆଲଟ ଓ ଦୋଳସଜ୍ଜର ମରାମତି ମଧ୍ୟ ପିପିଲିରେ କରାଯାଉଛି। ଉଭୟ କପଡ଼ା ଓ ଭେଲଭେଟ୍ରେ ପ୍ରସ୍ତୁତ ଏହିସବୁ ସାମଗ୍ରୀ ବଜାରରେ ଉପଲବ୍ଧ ହେଉଛି। ଗୋଟିଏ ଚାନ୍ଦୁଆ ଛତ୍ରୀର ସର୍ବନିମ୍ନ ମୂଲ୍ୟ ୧୨ଶହ ଟଙ୍କା ହୋଇଥିବା ବେଳେ ଏହାର ସର୍ବାଧିକ ମୂଲ୍ୟ ୧୨ ହଜାର ଅଟେ। ସେହିପରି ଆଲଟର ମୂଲ୍ୟ ୨୫୦ରୁ ୩ହଜାର ମଧ୍ୟରେ ହୋଇଥିବା ବେଳେ ତ୍ରାସର ମୂଲ୍ୟ ୬ଶହରୁ ସାଢେ ୪ହଜାର ମଧ୍ୟରେ ହୋଇଥିବା ସୂଚନା ମିଳିଛି।