ଶ୍ରୀନଗର, ୨୨/୧୨: ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲା ତ୍ରାଲ ଅଞ୍ଚଳରେ ଶନିବାର ସକାଳୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଗୁଳିବିନିମୟରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବାତ କରାଯାଇଛି । ପୁଲୱାମା ଜିଲ୍ଲା ତ୍ରାଲର ଅମରପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚୁ ରହିଥିବା ଖବର ପାଇ ରାଷ୍ଟ୍ରୀୟ ରାଇଫଲ(ଆରଆର), ଏସଓଜି ଓ ସେନାର ଯବାନ ମାନେ ମିଳିତ ଭାବରେ ସେହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହି ସର୍ଚ୍ଚ ଅପରେଶନ ଆରମ୍ଭ ହେବା ମାତ୍ରେ ପ୍ରଥମେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏହାର ଜବାବ ଦେଇ ସୁରକ୍ଷାକର୍ମୀମାନେ ପାଲଟା ଗୁଳି ଚାଳନା କରିବା ଫଳରେ ୬ ଜଣ ଆତଙ୍କବାଦୀ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଛନ୍ତି । ସେଥି ମଧ୍ୟରୁ ୨ ଜଣଙ୍କ ପରିଚୟ ରାସିକ ଏବଂ ସୋହିଲ ରୁପରେ ହୋଇଛି । ସୋହିଲ ଜାକିର ମୁସାର ସହେଯାଗୀ ବୋଲି ଜଣାପଡିଛି । ତେବେ ଏନକାଉଣ୍ଟର ସ୍ଥଳରେ ଯେପରି କୌଣସି ପ୍ରକାର ବିରୋଧ ପ୍ରଦର୍ଶନ ନହେନବ ତା ନେଇ ଅତିରିକ୍ତ ସେନା ଏବଂ ପୋଲିସକର୍ମୀଙ୍କୁ ନିୟୋଜିତ କରାଯାଇଛ ।