କଟକରେ 5-T ସଚିବ ଭି.କେ. ପାଣ୍ଡିଆନ୍, ସହରରେ ଚାଲିଥିବା ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

କଟକ, ୨୫/୩ : କଟକ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପାଇଁ କ୍ଷେତ୍ର ଉପରେ ପହଞ୍ଚିଛନ୍ତି 5-T ସଚିବ ଭି.କେ. ପାଣ୍ଡିଆନ । ପ୍ରଥମେ ଖାନନଗର ସ୍ଥିତ ନେତାଜୀ ବସ୍ ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ସହ ବୁଲି ଦେଖିଛନ୍ତି । ୧୫ଏକର ଜମିରେ ୮୪ କୋଟି ଟଙ୍କା ବ୍ୟୟରେ ବସ୍ ଟର୍ମିନାଲ ନିର୍ମିତ ହେଉଛି । ଏହାର ୯୦ ପ୍ରତିଶତ କାମ ସରିଛି । ବାକି କାମ ନିର୍ଦ୍ଧାରିତ ସମୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନେତାଜୀ ବସ୍ ଟର୍ମିନାଲରେ ଗୋଟିଏ ସ୍ଥାନରେ ଯାତ୍ରୀମାନଙ୍କୁ ରେଳ ଷ୍ଟେସନ ଏବଂ ବିମାନ ବନ୍ଦର ଭଳି ସେବା ଯୋଗାଇ ଦେବାକୁ ସରକାର ଯୋଜନା କରି କଟକର ଖାନନଗରରେ ଏହାକୁ ନିର୍ମାଣ କରୁଛନ୍ତି । ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଟର୍ମିନାଲର ଦୁଇ ଏକର ଜମିରେ କର୍ମସିଆଲ ଡେଭଲମେଣ୍ଟ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ସ୍ବତନ୍ତ୍ର କମ୍ପ୍ଲେକ୍ସ ପାଇଁ ଟେଣ୍ଡର ଆହ୍ୱାନ ସରିଛି । ସବ୍ ଲିଜ ବାବଦକୁ ୨୭ କୋଟି ଧାର୍ଯ୍ୟ କରାଯାଇଛି । ଟେଣ୍ଡର ସର୍ତ୍ତାବଳୀ ଅନୁଯାୟୀ ଯେଉଁ କମ୍ପାନୀ ବିଡିଙ୍ଗ ପ୍ରୋସେରେ କମ୍ ମୂଲ୍ୟ ଧାର୍ଯ୍ୟ କରିବ, ତାକୁ ସ୍ବତନ୍ତ୍ର କମ୍ପ୍ଲେକ୍ସ ଦିଆଯିବ । ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲରେ ସମୁଦାୟ ୩୩ଟି ରୁମ ରହିଛି । ଗ୍ରାଉଣ୍ଡ ଫ୍ଲୋରରେ ୩୦ଟି ଦୋକାନ ଘର ଥିବା ବେଳେ, ଫାଷ୍ଟ ଏବଂ ସେକେଣ୍ଡ ଫ୍ଲୋରରେ ସପିଙ୍ଗ ମଲ ପାଇଁ ଅଛି ବଡ଼ ବଡ଼ କର୍ମସିଆଲ ରୁମ । ଟର୍ମିନାଲରେ ପ୍ରାୟ ୨୦୦ଟି ବସ୍ ଏକା ସାଙ୍ଗରେ ରହିବା ସହ ବସ୍ ପ୍ରବେଶ ଓ ବାହାରିବା ପାଇଁ ଅଲଗା ରାସ୍ତା ରହିଛି । ଡ୍ରାଇଭରଙ୍କ ପାଇଁ ରେଷ୍ଟରୁମ, ମହିଳା ଓ ପୁରୁଷ ଯାତ୍ରୀଙ୍କ ପାଇଁ ଡର୍ମିଟୋରୀ ରହିଛି । ସୂଚନା କେନ୍ଦ୍ରରେ ଯାତ୍ରୀମାନେ ବସର ସମୟ, ସିଟ୍, କ୍ଷମତା, ଦୂରତାର ସମସ୍ତ ସୂଚନା ପାଇ ପାରିବେ । ସୁରକ୍ଷା ପାଇଁ ସିସିଟିଭି ସହ ପୋଲିସ୍ ଆଉଟପୋଷ୍ଟରେ ୨୪ ଘଣ୍ଟିଆ ପ୍ରହରା ରହିବ । ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି ।

ଏହାସହ ଚଣ୍ଡୀମନ୍ଦିର ଯାଇ ଦର୍ଶନ କରିବା ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ସମୟରେ 5-T ସଚିବଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ । ସେଠାରେ ସେ ମନ୍ଦିରର ରୂପାନ୍ତରଣ କାମ କେତେ ବାଟ ଆଗେଇଲାଣି ତାହାର ସମୀକ୍ଷା କରିଛନ୍ତି । ମନ୍ଦିରର ସୌନ୍ଦର୍ଯ୍ୟକରଣର ଅଗ୍ରଗତି ସହିତ ସମସ୍ୟା ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି ଜଳ ନିଷ୍କାସନ, ପାର୍କିଂ ଓ ମରାମତି କାର୍ଯ୍ୟ ଚାଲୁ ରହିଛି । ପୂର୍ବରୁ ମଧ୍ୟ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ଫାଇଭ-ଟି ସଚିବ । ଫାଇଭ-ଟି ରୂପାନ୍ତରଣରେ ଚଣ୍ଡି ମନ୍ଦିରର ନବକଳେବର କରାଯାଉଛି ।