ମଧ୍ୟପ୍ରଦେଶ ,୩୧/୩: ମଧ୍ୟପ୍ରଦେଶ ବିଦିଶାରେ ଜନୈକ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜନପଦ ଅଧ୍ୟକ୍ଷ ରଣଧୀର ସିଂହ ଠାକୁର ଇନ୍ଦ୍ରପ୍ରସ୍ତ ପୋସ୍ କଲୋନୀରେ ନିର୍ମିତ ତାଙ୍କର ବଙ୍ଗଳାରେ ରହିବା ପାଇଁ ପୂର୍ବତନ ସାଂସଦ ରାହୁଲ ଗାନ୍ଧିଙ୍କୁ ନିମନ୍ତ୍ରଣ କରିଛନ୍ତି। କୋଟି କୋଟି ଟଙ୍କା ମୂଲ୍ୟର ଏହି ବଙ୍ଗଳାର ଫାଟକରେ ଠାକୁର ଏକ ବ୍ୟାନର ଟଙ୍ଗାଇଛନ୍ତି। ଯେଉଁଥିରେ ‘ରାହୁଲ ଜି ମୋର ଏଇ ଘର ଏବେ ତୁମର’ ବୋଲି ଉଲ୍ଲେଖ କରିଛନ୍ତି। ରାହୁଲ ଗାନ୍ଧିଙ୍କୁ ସରକାରୀ ବଙ୍ଗଳା ଖାଲିବାକୁ ନୋଟିସ୍ ଜାରି କରାଯିବାକୁ ବିରୋଧ କରି ରଣଧୀର ସିଂହ ଠାକୁର ଏହି ପଦକ୍ଷେପ ନେଇଥିବା ବେଳେ ରାଜ୍ୟ ପାର୍ଟିର ସବୁ ସ୍ତରରେ ଏହାକୁ ସ୍ୱାଗତ କରାଯାଇଛି।
ଇନ୍ଦ୍ରପ୍ରସ୍ତ କଲୋନୀ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜନପଦ ଅଧ୍ୟକ୍ଷଙ୍କ ନିଜ ଘର। ଏହି ଘର ଆଗରେ ଟଙ୍ଗା ହୋଇଥିବା ବ୍ୟାନରକୁ ଦେଖିଲେ ଲୋକେ କିଛି ସମୟ ଅଟକି ଯାଉଛନ୍ତି। ବ୍ୟାନର ଯୋଗୁ ଲୋକେ ଘର ଆଗରେ ଠୁଳ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। କଂଗ୍ରେସ ନେତା ରଣଧୀର ଠାକୁର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ନିଜର ବଙ୍ଗଳାରେ ରହିବା ପାଇଁ ରାହୁଲ ଗାନ୍ଧିଙ୍କୁ ନିମନ୍ତ୍ରଣ କରିଛନ୍ତି। କାରଣ ରାହୁଲ ଗାନ୍ଧିଙ୍କୁ ସରକାରୀ କ୍ୱାର୍ଟର ଖାଲିକରିବାକୁ ନୋଟିସ୍ ଜାରି କରିଦିଆଯାଇଛି। ଯାହା କଂଗ୍ରେସ ନେତାମାନଙ୍କୁ ଅସନ୍ତୁଷ୍ଟ କରିଛି।
ଉଲ୍ଲେଖଯୋଗ୍ୟ ଯେ ଗାନ୍ଧି ପରିବାରଙ୍କର ଭାରତରେ ନିଜର ଘରଟିଏ ନାହିଁ । ସାଂସଦ ନିର୍ବାଚିତ ହେଉଥିବା ଯୋଗୁ ମିଳୁଥିବା ସରକାରୀ କ୍ୱାର୍ଟରରେ ସେମାନଙ୍କର ଦିନ କଟୁଛି। ଏଥିରେ ସୋନିଆ ଗାନ୍ଧି ରାଜନୀତିରୁ ସନ୍ୟାସ ନେବେ ବୋଲି ଇସାରା କରିଛନ୍ତି। ଯଦି ସୋନିଆ ରାଜନୀତିରୁ ଅବସର ନିଅନ୍ତି ଓ ରାହୁଲ ପୁଣି ସାଂସଦ ଭାବେ ନିର୍ବାଚନରେ ଲଢି ନ ପାରନ୍ତି ତେବେ ସେମାନେ କେଉଁଠି ମୁଣ୍ଡ ଗୁଞ୍ଜିବେ ତାହା ଏବେ କଂଗ୍ରେସ ନେତାଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।
