ଅହମ୍ମଦାବାଦ: IPL ଉଦଘାଟନୀ ମ୍ୟାଚ୍ରେ ବିଜୟ ଯାତ୍ରାକୁ ଜାରି ରଖିଛି ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ। ଋତୁରାଜ ଗାଏକଓ୍ଵାଡଙ୍କ ଅର୍ଦ୍ଧଶତକ ଉପରେ ଭାରି ପଡିଲା ଶୁଭମନ ଗିଲ୍ଙ୍କ ଅର୍ଦ୍ଧଶତକ। ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍ ୨୦୨୩ର ଉଦଘାଟନୀ ରୋମାଞ୍ଚକର ମ୍ୟାଚ୍ରେ ଆକର୍ଷଣୀୟ ବିଜୟ ଲାଭ କରିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ଗୁଜରାଟ। ଚାରି ଥରର ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସକୁ ୫ ଓ୍ଵିକେଟ୍ରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଗୁଜରାଟ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଋତୁରାଜ ଗାଏକଓ୍ଵାଡଙ୍କ ୯୨ ରନର ଇନିଂସ ବଳରେ ୭ ଓ୍ଵିକେଟ୍ ହରାଇ ୧୭୮ ରନ କରିଥିଲା। ଜବାବରେ ଶୁବମାନ ଗିଲ୍ଙ୍କ ୬୩ ରନ ଦମରେ ଗୁଜରାଟ ଟାଇଟନ୍ସ ୧୯.୨ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।ରଶିଦ ଖାନ ୧୦ ରନ ଏବଂ ରାହୁଲ ତେଓ୍ଵତିଆ ୧୫ ରନରେ ଅପରାଜିତ ଥିଲେ। ଅନ୍ୟପଟେ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ସୁପର କିଙ୍ଗ୍ସ।
୧୭୯ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ଗୁଜରାଟ ଟାଇଟନ୍ସର ଦୁଇ ଓପନର ଶୁଭମନ ଗିଲ୍ ଏବଂ ଋଦ୍ଧିମାନ ଶାହ ୩.୫ ଓଭରରେ ୩୭ ରନ ଯୋଡି ଭଲ ଆରମ୍ଭ ଦେଇଥିଲେ। ଦ୍ରୁତ ବ୍ୟାଟିଂ କରୁଥିବା ଶାହ ୧୬ ବଲ୍ରୁ ୨ ଚୌକା ଏବଂ ୨ ଛକା ସହ ୨୫ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଗିଲ୍ ଏବଂ ସାଇ ସୁଦର୍ଶନ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ରେ ୫୩ ରନ ଯୋଡି ବିଜୟ ମାର୍ଗ ପ୍ରଶସ୍ତ କରିଥିଲେ। ଦଳୀୟ ସ୍କୋର ୯୦ ରନରେ ସାଇ ସୁଦର୍ଶନ(୨୨) ଆଉଟ୍ ହୋଇଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା(୮) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଅର୍ଦ୍ଧଶତକ ହାସଲ କରି ଦଳର ମୋର୍ଚ୍ଚା ସମ୍ଭାଳିଥିବା ଶୁଭମନ ଗିଲ୍ ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ୍ ହେବା ଗୁଜରାଟକୁ ଝଟକା ଦେଇଥିଲା। ଗିଲ୍ ମାତ୍ର ୩୬ ବଲ୍ରୁ ୬ ଚୌକା ଏବଂ ୩ ଛକା ସହ ୬୩ ରନ କରିଥିଲେ। ବିଜୟ ଶଙ୍କର ୨୭ ରନର ଉପଯୋଗୀ ଇନିଂସ ଖେଳିଥିଲେ। ରାହୁଲ ତେଓ୍ଵତିଆ(୧୫) ଏବଂ ରଶିଦ ଖାନ ୩ ବଲ୍ରୁ ୧୦ ରନ କରି ଦଳକୁ ବିଜୟୀ କରାଇଛନ୍ତି।
