ଇସ୍ଲାମାବାଦ,୨୪/୧୨ : ପାକିସ୍ତାନର ଏକ ଦୁର୍ନୀତି ନିବାରଣ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଲ-ଅଜିଜିଆ ଷ୍ଟିଲ ମିଲ୍ସ ଲାଞ୍ଚକାରବାର ମାମଲାରେ ତାଙ୍କୁ କୋର୍ଟ ଦୋଷୀ ପାଇବା ପରେ ଏହି ଦଣ୍ଡାଦେଶ ଦେଇଛନ୍ତି । ତେବେ ପାନାମା ପେପର୍ସ ମାମଲାରେ ତାଙ୍କୁ ଦୋଷମୁକ୍ତ କରାଯାଇଛି । ଇସ୍ଲାମାବାଦର ଆକାଉଣ୍ଟିବିଲିଟି କୋର୍ଟ-୨ର ଜଜ୍ ମହମ୍ମଦ ଅର୍ସାଦ ମଲ୍ଲିକ ଏହି ଦଣ୍ଡାଦେଶ ଶୁଣାଇଥିଲେ । ଅଲ-ଅଜିଜିଆ ଷ୍ଟିଲ ମିଲ୍ସ ଲାଞ୍ଚକାରବାର ମାମଲାରେ ସରିଫଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ଜଜ୍ ଅର୍ସାଦ କହିଛନ୍ତି । ପୂର୍ବରୁ ଆଉ ଏକ ମାମଲାରେ ତାଙ୍କୁ ୧୦ ବର୍ଷ ଦେଲ ଦଣ୍ଡ ଦିଆଯାଇଥିଲା ।
ଗତ ଜୁଲାଇ ମାସରେ ଦୁର୍ନୀତି ଓ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ପାକିସ୍ତାନର ଏକ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ପ୍ରଦାନ କରିଥିଲେ । ଏହା ସହିତ ତାଙ୍କ କନ୍ୟା ମରିୟମ ନଓ୍ଵାଜଙ୍କୁ ୭ ବର୍ଷ ଜେଲ ଦଣ୍ଡ ପ୍ରଦାନ କରାଯାଇଥିଲା । ଏହି ରାୟ ପରେ ଗତ ଜୁଲାଇ ୧୩ରେ ତାଙ୍କୁ ଗିରଫ କରାଯାଇଥିଲା ।