ବିବାଦୀୟ ବୟାନ ପାଇଁ ପ୍ରଦୀପ ମହାରଥୀଙ୍କ ବାସଭବନ ଉପରକୁ ମହିଳା କଂଗ୍ରେସର ଅଣ୍ଡା, ଟମାଟୋ ଓ ଛାଞ୍ଚୁଣୀ ମାଡ଼

ଭୁବନେଶ୍ୱର,୨୭/୧୨: ବହୁ ଚର୍ଚ୍ଚିତ ପିପିଲି ଗଣବଳାତ୍କାର ଓ ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ, “ପୀଡିତାଙ୍କୁ ନ୍ୟାୟ ମିଳିଛି । ପାଣିକୁ ପାଣି ଓ କ୍ଷୀରକୁ କ୍ଷୀର ହୋଇଛି। କୋର୍ଟଙ୍କ ରାୟକୁ ସେ ସ୍ୱାଗତ କରୁଛନ୍ତି ବୋଲି କହିଥିଲେ। “। ତାଙ୍କ ବୟାନକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିବା ବେଳେ ଗୁରୁବାର ଅପରାହ୍ନରେ ମହିଳା କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। କର୍ମୀମାନେ ଲୋୟର ପିଏମ୍‌ଜି ନିକଟରେ ଥିବା ମହାରଥୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିବା ସହ ଅଣ୍ଡା, ଟମାଟୋ ଓ ଛାଞ୍ଚୁଣୀ ମାଡ଼ କରିଛନ୍ତି। ସୁରକ୍ଷାକର୍ମୀମାନେ ବିକ୍ଷୋଭକାରୀ ମହିଳାମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ତାହା ସମ୍ଭବ ହୋଇପାରି ନ ଥିଲା। ଫଳରେ ପୋଲିସ ୪୦ଜଣ ମହିଳାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ପ୍ରଦୀପ ମହାରଥୀଙ୍କ ଏଭଳି ବୟାନ ନିନ୍ଦନୀୟ। ତେଣୁ ଏଭଳି ବୟାନରୁ ସେ ନିବୃତ ରୁହନ୍ତୁ। ନ ହେଲେ ଆଗାମୀ ଦିନରେ ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।