ଏସଓପିକୁ ଫୁ : ରାସ୍ତା ମଝିରେ ବିପଦ

ଭୁବନେଶ୍ୱର, ୨୫/୦୫ (ପ୍ରଦୀପ୍ତ କୁମାର ଦାସ) : ୱାଟକୋ ପକ୍ଷରୁ ରାସ୍ତା ଖୋଳାଯାଇ ଜଳଯୋଗାଣ ପାଇପ ଲାଇନରେ ଥିବା ଲିକେଜ ତଥା ଜଳକ୍ଷରଣ ମରାମତି କରାଗଲା।ମାତ୍ର ପୂର୍ତ୍ତ ବିଭାଗର ଏସଓପିକୁ ଫୁ କରି ରାସ୍ତାର ପୁନଃରୁଦ୍ଧାର ନକରି ଅତି ବେପରୁଆ ଭାବେ ଅଧାପନ୍ତରିଆ ଅବସ୍ଥାରେ ଛାଡ଼ି ପଳାଇଗଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର।ରାସ୍ତା ମଝିରେ ଖୋଳାଯାଇଥିବା ଉକ୍ତ ଖାଲକୁ ଖାମଖିଆଲି ଢଙ୍ଗରେ କେବଳ ପୋତିଦେବା ସହିତ ଅସୁରକ୍ଷିତ ଅବସ୍ଥାରେ ଛାଡ଼ି ପଳାଇଲେ ସମ୍ପୃକ୍ତ ଯନ୍ତ୍ରୀ ଓ ଠିକାଦାର।ଏପରିକି ସେଠାରେ ବିପଦ ସଂକୁଳ ଅବସ୍ଥାରେ ଗୋଟିଏ ସୁରକ୍ଷା ବାରିକେଡ଼ ଥୁଆ ହୋଇଥିବା ବେଳେ ଆଉ ଗୋଟିଏ ତଳେ ଚିତପଟାଂଗ ହୋଇ ପଡ଼ିରହିଛି।ମାତ୍ର ଏହି ମରାମତି କାର୍ଯ୍ୟ ଦାୟିତ୍ୱରେ ଥିବା ୱାଟକୋର ଯନ୍ତ୍ରୀ ଓ ଠିକାଦାରଙ୍କ ସମେତ ଉକ୍ତ ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗର ଯନ୍ତ୍ରୀ ମଧ୍ୟ ବିନ୍ଦାସ ହୋଇ ବସିଛନ୍ତି।ପ୍ରକାଶ ଯେ ଗତ ପ୍ରାୟ ସପ୍ତାହେରୁ ଊର୍ଧ୍ୱ ହେବ ସ୍ଥାନୀୟ କଟକରୋଡ଼ର ମ୍ୟାଙ୍ଗୋ ଓ ପ୍ରଜ୍ଞା ହୋଟେଲ ସମ୍ମୁଖ ବ୍ୟସ୍ତବହୁଳ ରାସ୍ତା ମଝିରେ ଏପରି ଅଭାବନୀୟ ସ୍ଥିତି ଜାରି ରହିଛି।ଫଳରେ ଉକ୍ତ ରାସ୍ତାରେ ଯାତାୟାତ କ୍ଷେତ୍ରରେ ଘୋର ବାଧା ସୃଷ୍ଟି ହେବା ସହ ଲୋକେ ଦୈନିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଏଥିସହ ସେଠାରେ ଗାଡ଼ି ଚାଳକମାନେ ଆସନ୍ନ ଓ ଆକସ୍ମିକ ଦୁର୍ଘଟଣାର ଶିକାର ହେବା ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।ଗତ ପ୍ରାୟ ମାସେ ହେବ ସେଠାରେ ରାସ୍ତା ତଳେ ଯାଇଥିବା ଜଳଯୋଗଣ ପାଇପ ଲାଇନରେ କୌଣସି କାରଣରୁ ପାଣି ଝରି କିଛିଦିନ ରାସ୍ତା ଉପରେ ବୋହିଚାଲିଥିଲା।ପ୍ରଥମେ ୱାଟକୋ ପକ୍ଷରୁ ତାର ମରାମତି ପାଇଁ ପ୍ରୟାସ ହୋଇଥିଲେହେଁ ତାହା ସଫଳ ନହେବାରୁ ସେହି ଅବସ୍ଥାରେ କିଛିଦିନ ଏପରି ସମସ୍ୟା ଲାଗିରହିଥିଲା।ଫଳରେ ରାସ୍ତାରେ ଗମନାଗମନରେ ସମସ୍ୟା ଉପୁଜିବାରୁ ଜନସାଧାରଣଙ୍କ ପକ୍ଷରୁ ଦୁଇ ବିଭାଗର ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହେବାପରେ ତାହା ମରାମତି ହେଲା।ମାତ୍ର ପୂର୍ତ୍ତ ବିଭାଗର ଏସଓପି ଅନୁଯାୟୀ ତାକୁ ସଠିକ ଭାବେ ପୂର୍ବ ସ୍ଥିତିକୁ ଆଣିବାପାଇଁ ଯେଉଁପରି ପୁନଃରୁଦ୍ଧାର କରିବାକଥା ତାହା ଅଦ୍ୟାବଧି ହୋଇପାରିନାହିଁ।ଏଥିଯୋଗୁଁ ସମ୍ପୃକ୍ତ ରାସ୍ତାରେ ଯାତାୟାତ କରୁଥିବା ଲୋକେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି।ତେବେ ଏପରି ସ୍ଥିତିରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏସଓପି ମାର୍ଗଦର୍ଶିକା ଦାୟିତ୍ୱକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର କେତେଦୂର ଯେ ଯତ୍ନସହକାରେ ପାଳନ କରୁଛନ୍ତି,ଏହାକୁ ତାର ଏକ ନିଛକ ନମୁନା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।