ବନ୍ଧାକୋବି-ମାଂସ ଝୁରୁଝୁରା

ପ୍ରସ୍ତୁତି ସାମଗ୍ରୀ- ୨୫୦ଗ୍ରାମ୍‌ ମାଂସ, ୫୦୦ଗ୍ରାମ୍‌ ବନ୍ଧାକୋବି, ୧ଟି ଆଳୁ, ୧ଟି ବଡ଼ ପିଆଜ, ୧ଟି ବଡ଼ ପିଆଜ, ୧ଟି ବଡ଼ ରସୁଣ, ଖଣ୍ଡେ ଅଦା, ୧ ଛୋଟ ଚାମଚ ପୋସ୍ତ, ୧ ଛୋଟଚାମଚ ଧନିଆଗୁଣ୍ଡ, ୧ଟି ତେଜପତ୍ର, ୪ଟି ଶୁଖିଲାଲଙ୍କା, ୧୦୦ଗ୍ରାମ୍‌ ତେଲ୍‌, ୨ଚାମଚ ଘିଅ, ୧ ଛୋଟଚାମଚ ଗରମ ମସଲା, ଅଳ୍ପ ଜିରା, ସ୍ୱାଦ ଅନୁଯାୟୀ ଲୁଣ ଓ ଗୁଣ୍ଡହଳଦି ।
ପ୍ରଣାଳୀ- ପ୍ରଥମେ ଅଦା, ଲଙ୍କା, ଜିରା, ଧନିଆ ଓ ପୋସ୍ତ ମିଶାଇ ମସଲା ବାଟି ଅଲଗା ରଖନ୍ତୁ । ବନ୍ଧାକୋବିକୁ ଚୂନା ଚୂନା ଓ ଆଳୁକୁ ଛୋଟ ଛୋଟକରି କାଟି ରଖନ୍ତୁ । ଏହାପରେ କଡ଼େଇରେ ତେଲ ଗରମକରି କଟାପିଆଜ, କଟାରସୁଣ ପକାଇ ଅଳ୍ପ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ସେଥିରେ ସମସ୍ତ ବଟା ମସଲା, ମାଂସ, ଲୁଣ ଓ ହଳଦି ଦେଇ କଷନ୍ତୁ । ଏହା ଅଳ୍ପ ନରମ ହୋଇ ଆସିବା ବେଳକୁ କଟାବନ୍ଧାକୋବିକୁ ପକାଇ ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ । ଏଥିରେ ଅଧିକ ପାଣି ଦିଅନ୍ତୁ ନାହିଁ । ଧିମା ଆଞ୍ଚରେ ମାଂସ ଓ କୋବି ସିଝି ଆସିବା ବେଳକୁ ଆଉ ଏକ କଡ଼େଇରେ ଘିଅ ଗରମ କରି ଜିରା, ତେଜପତ୍ର ଫୁଟାଇ ଗରମ ମସଲା ଦେଇ ଛୁଙ୍କ କରି ମାଂସ ଓ କୋବିରେ ଢାଳି ଦିଅନ୍ତୁ । ଜୁକୁଜୁକିଆ ଅବସ୍ଥାରେ ବନ୍ଧାକୋବି-ମାଂସ ଓହ୍ଲାଇ ଗରମ ଗରମ ପରଷନ୍ତୁ ।