୫ ବର୍ଷର ରିପୋର୍ଟ କାର୍ଡ : ବିଏମସି ୱାର୍ଡ ନଂ – ୬୧

ପୁରୁଣା ଭୁବନେଶ୍ୱର,୩/୧: ୨୦୧୪ ନିର୍ବାଚନରେ ୱାର୍ଡ ନଂ. ୬୧ରେ ବିଜେଡି ପ୍ରାର୍ଥିନୀ ଅନିତାରାଣୀ ମହାନ୍ତି କପୋର୍ରେଟର ଭାବେ ବିଜୟୀ ହୋଇଥିଲେ । ଶାସକ ଦଳର କର୍ପୋରେଟର ହୋଇଥିବାରୁ ତାଙ୍କ ଉପରେ ୱାର୍ଡବାସୀଙ୍କର ଅନେକ ଆଶା ଥିଲା । ତାଙ୍କ କାର୍ଯ୍ୟକାଳ ସରିବାକୁ କେତୋଟି ଦିନ ବାକି ରହିଛି। ହେଲେ ନିର୍ବାଚନ ସମୟ‌ରେ ଯେଉଁ ସବୁ ସେବା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ସେ ସବୁ ସୁବିଧା ହୋଇପାରିଲା ନାହିଁ । ଭୀମଟାଙ୍ଗିର ଗଳିକନ୍ଦିରେ ସ୍ୱରେଜ ଅବସ୍ଥା ସୁଧୁରି ନାହିଁ। ସମାନ୍ୟ ବର୍ଷା ହେଲେ ନାରାୟଣୀ କ୍ଲବ୍‌ ରାସ୍ତା, ନାରାୟଣ କଲୋନି, ଦୁର୍ଗା ମନ୍ଦିର ଗଳି, ମଙ୍ଗଳା ମନ୍ଦିର ଗଳିରେ ସ୍ଵରେଜ୍‌ରୁ ପାଣି ବାହାରି ରାସ୍ତାରେ ଭାସୁଛି। ସେହିଭଳି ଭୀମକୁଣ୍ଡ ପୁଷ୍କରିଣୀ ସମସ୍ୟା ସମାଧାନ ଯୁଗଯୁଗର ରାଜନୈତିକ ଏଜେଣ୍ଡା ପାଲଟିଛି । ସବୁ ନିର୍ବାଚନ ବେଳେ ଏହାର ସମାଧାନ ପ୍ରତିଶ୍ରୁତି ଦିଆଯାଏ, ହେଲେ ତାହା ପୂରଣ ହୁଏ ନାହିଁ । ଅନିତାରାଣୀଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ପୁଷ୍କରିଣୀର ଅବସ୍ଥା ଯଥା ପୂର୍ବଂ ତଥା ପରଂ ରହିଛି। ସେହିପରି ମଙ୍ଗଳା ମନ୍ଦିର ବେହେରା ସାହି ରାସ୍ତା ଓ ଡ୍ରେନ୍‌ ମଧ୍ୟ ବାସିନ୍ଦାଙ୍କୁ ଯମ ଯନ୍ତ୍ରଣା ଦେଉଛି। କାଳିଗାଡ଼ିଆ ଶ୍ମଶାନ ପୁନରୁଦ୍ଧାର ସ୍ବପ୍ନ ହୋଇ ରହିଛି। ଜବରଦଖଲ ବଢ଼ି ଚାଲିଥିବାରୁ ଶ୍ମଶାନ ଅନ୍ତର୍ଧ୍ୟାନ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ବର୍ଷା ହେଲେ ଭୀମଟାଙ୍ଗି ଲେନ୍‌-୧୪ରେ ଡ୍ରେନ୍‌ ପାଣି ରାସ୍ତା ଉପରେ ଲହଡ଼ି ମାରୁଛି। କ୍ରମଶଃ ରାସ୍ତା ଉଚ୍ଚା ହୋଇ ହୋଇ ଯାଉଥିବାରୁ ସାମାନ୍ୟ ବର୍ଷାରେ ଘରେ ପାଣି ପଶିବା ଆଶଙ୍କା ସୃଷ୍ଟି ହୋଇଛି।

ଏହି ୱାର୍ଡରେ ଖରାଦିନେ ପିଇବା ପାଣି ସମସ୍ୟା ନାହିଁ ନ ଥିବା ଅସୁବିଧା । ଭୀମଟାଙ୍ଗି ଉପର ଫେଜ୍‌, ଭୀମଟାଙ୍ଗି ତଳ ଫେଜ୍‌ ପାଣି ପାଇଁ ଟ୍ୟାଙ୍କର ଉପରେ ନିର୍ଭର କରିବାକୁ ପଡ଼େ। ନରାଜରୁ ପାଣି ଆସିବା ସହ ପାଣି ଟାଙ୍କିକୁ କାର୍ଯ୍ୟକ୍ଷମ କରାଯାଇଥିଲେ ମଧ୍ୟ ସମସ୍ୟା ସୁଧୁରି ନାହିଁ । ଦୟା ୱେଷ୍ଟ କେନାଲ ପ୍ରଦୂଷିତ ହେବା ଯୋଗୁଁ ଭୂତଳ ଜଳ ପ୍ରଭାବିତ ହୋଇଛି। ଫଳରେ ଏଠାକାର ସମସ୍ତ କୂଅ ପ୍ରଦୂଷିତ ହୋଇଛି। କୂଅ ବ୍ୟବହାର ନ ହୋଇ ପଡ଼ି ରହିଥିବାରୁ ମଶାଙ୍କ ପ୍ରାଦୁର୍ଭାବ ବଢ଼ିଛି। ଭୀମକୁଣ୍ଡ ପୁନରୁଦ୍ଧାର ହୋଇପାରିନାହିଁ। ଉପର ଫେଜ୍‌ କମ୍ୟୁନିଟି ସେଣ୍ଟର ନିକଟ ପାର୍କ ଦୁଇବର୍ଷରେ ଦୁଇଥର ପୁନରୁଦ୍ଧାର ହେବା ପରେ ମଧ୍ୟ ତାଲା ପଡ଼ି ରହିଛି । ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇ ପାରିନାହଁ। ୨୦୧୪ ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସୁବାସିନୀ ପୃଷ୍ଟି (ବିଜେପି) ପାର୍ଥିନୀ ଥିଲେ । ତେଣୁ ୱାର୍ଡ ନଂ – ୬୧ର ଏହି ୫ବର୍ଷର ରିପୋର୍ଟ କାର୍ଡକୁ ଦେଖି ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦୀମାନେ ସଚେତନ ହୋଇ ଦେଉଥିବା ପ୍ରତିଶ୍ରୁତି ପାଳନ କରିବେ ବୋଲି ଆଶା ଓ ଭରସା ।