ନବୀନ ନିବାସ ଘେରିବାକୁ ମହିଳା କଂଗ୍ରେସର ଉଦ୍ୟମ

ଭୁବନେଶ୍ୱର,୩/୧: ପିପିଲି ଗଣଦୁଷ୍କର୍ମ ମାମଲାରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ମନ୍ତବ୍ୟକୁ ନେଇ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି । ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗକୁ ଟାର୍ଗେଟ୍‌ କରିଛନ୍ତି ବିଭିନ୍ନ ମହିଳା ମୋର୍ଚ୍ଚା । ଗତ ଦୁଇ ଦିନ ଧରି ବିଜେପି ମହିଳା ମୋର୍ଚ୍ଚା ପୋଲିସକୁ ନାକେଦମ୍‌ କରିଥିବାବେଳେ ଆଜି ମହିଳା କଂଗ୍ରେସ ସହ ପୁଣି ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ମହିଳା କଂଗ୍ରେସ କର୍ମୀ ପୋଲିସ ଉପରକୁ ଟମାଟୋ ମାଡ଼ କରାଯାଇଥିବାବେଳେ ଜଣେ ମହିଳା କର୍ମୀ ଧସ୍ତାଧସ୍ତିରେ ଆହତ ହୋଇଥିବା ସୂଚନା ମିଳିଛି ।

ପିପିଲି ଗଣଦୁଷ୍କର୍ମ ମାମାଲାରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଯେଉଁ ସମ୍ବେଦନହୀନ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ତାଙ୍କର ଇସ୍ତଫା ଦାବି କରିଛି ମହିଳା କଂଗ୍ରେସ । ଏହା ସହିତ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ବି ଟାର୍ଗେଟ୍‌ କରିଛନ୍ତି । ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ନ୍ୟାୟ ଦାବୀ କରିଛି ମହିଳା କଂଗ୍ରେସ । ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବିରେ ଶତାଧିକ ମହିଳା କଂଗ୍ରେସ କର୍ମୀ ନବୀନ ନିବାସ ଘେରାଉ କରିବାକୁ ଯାଉଥିବାବେଳେ ବାଟ ଓଗାଳିଥିଲା ପୋଲିସ । ଏହି ଶୋଭାଯାତ୍ରାକୁ ଶିଶୁଭବନ ନିକଟରେ ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲା । ଏହି ସମୟରେ ପରସ୍ପର ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ ଉପରକୁ ଟମାଟୋ ଫୋପାଡ଼ିଥିଲେ ମହିଳା କଂଗ୍ରେସ କର୍ମୀ । ଏହି ଧସ୍ତାଧସ୍ତିରେ ଜଣେ ମହିଳା କଂଗ୍ରେସ କର୍ମୀ ଅଚେତ ହୋଇପଡ଼ିଥିବା ସୂଚନା ମିଳିଛି ।

ଏହା ପୂର୍ବରୁ ମଧ୍ୟ କଂଗ୍ରେସ ମହିଳା କର୍ମୀ ପ୍ରଦୀପ ମହାରଥୀଙ୍କ ସରକାରୀ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲେ । ମହାରଥୀଙ୍କ ଘର ଉପରେ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ମଙ୍ଗଳବାର ଓ ବୁଧବାର ଦିନ ମଧ୍ୟ ସମାନ ଦାବିରେ ବିଜେପି ମହିଳା ମୋର୍ଚ୍ଚାର କର୍ମୀ ନବୀନ ନିବାସ ଘେରାଉ କରିବାକୁ ଯାଇଥିଲେ । ଗତକାଲି ନବୀନ ନିବାସରେ ପୋଷ୍ଟର ମାରିବାକୁ ଯାଉଥିବାବେଳେ ପୋଲିସ କିଛି କର୍ମୀଙ୍କୁ ଅଟକ ରଖିଥିଲା ।