ସୋସିଆଲ ମିଡିଆ ଉପରେ ପୋଲିସର ନଜର, ଖୁବ୍‌ଶୀଘ୍ର ଖୋଲିବ ମନିଟରିଂ ସେଲ୍‌ : ଡିଜିପି

ଭୁବନେଶ୍ୱର, ୪/୧: ସୋସିଆଲ ମିଡିଆରେ ଅନେକ ମିଥ୍ୟା ତଥ୍ୟର ପ୍ରଚାର କରାଯିବା ସହ ଗୁଜବ ସୃଷ୍ଟି କରାଯାଉଛି। ଏହା ମୋବାଇଲରୁ ମୋବାଇଲକୁ ଘୂରି ବୁଲିବା ଫଳରେ ସମାଜରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳୁଛି। ନିକଟରେ ପିଲାଚୋରି ଗୁଜବ ଭାଇରାଲ ହେବା ଏହାର ଏକ ଜ୍ୱଳନ୍ତ ଉଦାହରଣ। ଏଭଳି ଭୁଲ ବାର୍ତ୍ତା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ଏପରି କି ଦେଶର ଅନେକ ସ୍ଥାନରେ ବହୁ ନିରୀହ ଲୋକ ସାଧାରଣ ଜନତାଙ୍କ ଆକ୍ରୋଶ ଏବଂ ଆକ୍ରମଣର ଶିକାର ହୋଇଛନ୍ତି। କେବଳ ଏହି ଘଟଣା ନୁହେଁ, ସୋସିଆଲ ମିଡିଆ ମାଧ୍ୟମରେ ଯୁବତୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରାଯାଉଛି। ତେଣୁ ଏସବୁ ଉପରେ ରୋକ୍‌ ଲଗାଇବାକୁ ପୋଲିସ ଯୋଜନା କରିଛି ବୋଲି ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ଶ୍ରୀ ଶର୍ମା କହିଛନ୍ତି, ଏଣିକି ପ୍ରତିଦିନ ସୋସିଆଲ ମିଡିଆ ଉପରେ ପୋଲିସ ନଜର ରଖିବ। ବିଭିନ୍ନ ସୋସିଆଲ ମିଡିଆକୁ ଯାଞ୍ଚ କରାଯିବ। ଏଥିପାଇଁ ଖୁବ୍‌ଶୀଘ୍ର ସୋସିଆଲ ମିଡିଆ ମନିଟରିଂ ସେଲ୍‌ ଖୋଲାଯିବ। ଏହି ସେଲରେ ସାଇବର ଅପରାଧ ଓ ଟେକ୍ନିକାଲ ଜ୍ଞାନ ଥିବା ଅଫିସରମାନେ ରହିବେ। ସେମାନେ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ପ୍ରତିଟି ତଥ୍ୟକୁ ଅନୁଧ୍ୟାନ କରିବେ। ଯେଉଁମାନେ ଗୁଜବ ସୃଷ୍ଟି କରିବେ ଏବଂ ତାହାକୁ ଭାଇରାଲ କରିବେ, ସେମାନଙ୍କୁ ଚିହ୍ନଟ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ଗୁଜବ ନୁହେଁ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି। ତାହାକୁ ମଧ୍ୟ ଏହି ସେଲ ରୋକିବ। ଏହାସହ ସୋସିଆଲ ମିଡିଆରେ ହେଉଥିବା ବିଭିନ୍ନ ପ୍ରକାର ଅପରାଧକୁ ସେଲ୍‌ ରୋକିବ ବୋଲି ପୋଲିସ ଡିଜି ସୂଚନା ଦେଇଛନ୍ତି।

SBI_Festive_Digital Billboard