ଲକ୍ଷ୍ନୌ ,୧୨/୧: ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ବିଜୟ ରଥକୁ ଉତ୍ତର ପ୍ରଦେଶରେ ରୋକିବା ପାଇଁ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟ କରିବାକୁ ଆଜି ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଏହି ସମୟରେ ବିଏସପି ସୁପ୍ରିମୋ ମାୟାବତୀ ମେଣ୍ଟ ଐତିହାସିକ ବିଜୟ ହାସଲ କରିବ ବୋଲି କହିଛନ୍ତି। ମାତ୍ର ତାଙ୍କୁ ଇଭିଏମ ଓ ରାମ ମନ୍ଦିର ଭୟ ଘାରୁଛି। ମାୟାବତୀ କହିଛନ୍ତି ଯେ ଯଦି ବିଜେପି ଇଭିଏମ ଓ ରାମ ମନ୍ଦିରକୁ ନେଇ କୌଣସି ଚାଲ ନଖେଳେ ତେବେ ଆମର ମେଣ୍ଟ ବିଜେପିକୁ କ୍ଷମତାରୁ ହଟାଇ ଦେବ।
ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହିତ ସାମ୍ବାଦିକ ସମ୍ମିଳନୀ କରି ମାୟାବତୀ କହିଛନ୍ତି ଯେ ୮୦ ସିଟ ବିଶିଷ୍ଟ ଉତ୍ତର ପ୍ରଦେଶ ଲୋକସଭା ନିର୍ବାଚନ ୨୦୧୯ ସମୟରେ ମେଣ୍ଟ ବିଜେପିକୁ ରୋକିବା ପାଇଁ ସଫଳ ହେବ ଏବଂ ମୋଦୀ ସରକାର ପୂର୍ନବାର କ୍ଷମତାସୀନ ହୋଇ ପାରିବ ନାହିଁ, ଯଦି ପୂର୍ବପରି ଭୋଟିଂ ମେସିନରେ କୌଣସି ଗଡ଼ବଡ଼ କରାନଯାଏ ଏବଂ ରାମ ମନ୍ଦିର ମାମଲାରେ ଜନଭାବନାକୁ ଉସୁକା ନଯାଏ ତେବେ ଏହା ସମ୍ଭବ ହୋଇ ପାରିବ।