ସାବରୀମାଳା ମନ୍ଦିରରେ ପ୍ରବେଶ କରି ଦୁର୍ଦଶା ଭୋଗିଲେ ମହିଳା

ତିରୁବନନ୍ତପୁରମ : କେରଳର ବହୁ ପ୍ରସିଦ୍ଧ ସାବରୀମାଳା ମନ୍ଦିରରେ ବର୍ଷ ବର୍ଷ ଧରି ଚାଲିଆସୁଥିବା ପରମ୍ପରା ଭାଙ୍ଗି ମନ୍ଦିର ପ୍ରବେଶ କରିଥିବା ୨ ମହିଳାଙ୍କ ମଧ୍ୟରୁ କନକ ଦୁର୍ଗାଙ୍କୁ ତାଙ୍କ ଶାଶୁ ଆକ୍ରମଣ କରିଥିବା ଜଣା ପଡିଛି ।
ସୁପ୍ରିମ କୋର୍ଟ ଦ୍ୱରା ଏହି ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରୁ ବ୍ୟାନ ହଟାଯିବା ପରେ କନକ ଦୁର୍ଗା ମନ୍ଦିରରେ ଗର୍ଭ ଗୃହରେ ପ୍ରବେଶ କରିବା ସହିତ ସ୍ୱାମୀ ଆୟପ୍ପାଙ୍କୁ ପୂଜାର୍ଚ୍ଚନା କରିଥିଲେ । ସେ ଜାନୁଆରୀ ୨ ତାରିଖରେ ମନ୍ଦିରରେ ପ୍ରବେଶ କରିଥିଲେ ।
ତେବେ ଏହା ପରେ ଲଗାତାର ତାଙ୍କୁ ଜୀବବନରୁ ମାରି ଦେବାର ଧମକ ମିଳୁଥିଲା । ତେଣୁ ସେ ଘରକୁ ଫେରିବା ବଦଳରେ ଅନ୍ୟ ଏକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ । ତେବେ ମଙ୍ଗଳବାର ସକାଳୁ ସେ ଯେତେବେଳେ ତାଙ୍କ ଘରକୁ ଫେରିଥିଲେ ତାଙ୍କ ଶାଶୁ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହା ପରେ ତାଙ୍କୁ ପେରନ୍ଥାଲମନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣା ପଡିଛି ।
ସାବରିମାଳା ମନ୍ଦିରକୁ ନେଇ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ୩୯ ବର୍ଷିୟା କନକ ଦୁର୍ଗା ଏବଂ ୪୦ ବର୍ଷିୟା ବିନ୍ଦୁ ଅମ୍ମୀ ଭଗବାନ ଆୟପ୍ପାଙ୍କ ମନ୍ଦିରରେ ପ୍ରବେଶ କରି ଇତିହାସ ରଚିଥିଲେ । କନକ ଦୁର୍ଗା ସିଭିଲ ସର୍ଭିସରେ କାର୍ଯ୍ୟରତ ଥିବା ବେଳେ ବିନ୍ଦୁ କେରଳର କନ୍ନୁର ବିଶ୍ୱବିଦ୍ୟାଳୟରେ ଆଇନ ଅଧ୍ୟାପକ ଅଛନ୍ତି । ଦେବେ ପ୍ରବେଶ କରିବା ପରେ ଏହି ଦୁଇ ମହିଳାଙ୍କୁ ଲଗାତାର ଧମକ ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।
ସୁଚନା ଯୋଗ୍ୟ ଯେ, ମନ୍ଦିରର ପରମ୍ପରା ଅନୁଯାୟୀ ଏଠାରେ ଋତୁସ୍ରାବଯୋଗ୍ୟ ମହିଳାଙ୍କ ପ୍ରବେଶ ନିଷେଧ ରିଛି । କିନ୍ତୁ ମନ୍ଦିରରେ ପ୍ରବେଶ କରିବାର ସମସ୍ତଙ୍କର ଅଧିକାର ରହିଛି ବୋଲି ସୁପ୍ରିମ କୋର୍ଟଙ୍କ ଐତିହାସିକ ରାୟ ପରେ ଏହି ମନ୍ଦିର ବିବଦର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ରାୟ ପରେ ପ୍ରତିଦିନ ମନ୍ଦିର ପରିସରରେ ଅଧିକାରୀ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖାଯାଉଛି । ଶ୍ରଦ୍ଧାଳୁଙ୍କ ହିଂସା ଏବଂ ବିରୋଧ ପ୍ରଧର୍ଶନ ମଧ୍ୟ ପ୍ରତିଦିନ ଦେଖା ଦେଉଛି ।