ନୂଆଦିଲ୍ଲୀ, ୬/୧: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ବେଆଇନ ଅର୍ଥ କାରବାର ମାମଲାରେ ସେ ଇଡିରେ ହାଜର ହୋଇଥିବା ଜଣାପଡିଛି। ପତ୍ନୀ ପ୍ରିୟଙ୍କା ସହ ଇଡି କାର୍ଯ୍ୟଳୟକୁ ଆସିଥିଲେ ରବର୍ଟ। କିଛି ସମୟ ପରେ ପ୍ରିୟଙ୍କା ସେଠାରୁ ଚାଲିଯାଇଥିଲେ। ବେଆଇନ ଅର୍ଥ କାରବାର ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଗତ ଶନିବାର ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ବେଆଇନ ଆର୍ଥିକ କାରବାର ମାମଲାରେ ଫେବ୍ରୁଆରୀ ୧୬ ପର୍ଯ୍ୟନ୍ତ ତାଙ୍କର କୌଣସି ପ୍ରକାର ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି ଅଦାଲତ। ଏଥିଲାଗି ଅଦାଲତ ଭଦ୍ରାଙ୍କୁ ୧ ଲକ୍ଷ ଟଙ୍କାର ସିଓରିଟି ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରାଙ୍କ ଓକିଲ କେଟିଏସ ତୁଳସୀ କୋର୍ଟଙ୍କୁ ସୁନିଶ୍ଚିତ କରିଛନ୍ତି ଯେ ଭଦ୍ରା ଫେବ୍ରୁଆରୀ ୬ରେ ହେବାକୁ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ତଦନ୍ତ ସମୟରେ ଉପସ୍ଥିତ ରହି ସବୁ ପ୍ରକାର ସହଯୋଗ କରିବେ। ସୂଚନାଯୋଗ୍ୟ, ଇଡି ଦ୍ୱାରା ରୁଜୁ ହୋଇଥିବା ବେଆଇନ ଅର୍ଥ କାରବାର ମାମଲାରେ ଭଦ୍ରା ଦିଲ୍ଲୀ ଅଦାଲତରେ ଆଗୁଆ ଜାମିନ ଆବେଦନ କରିଥିଲେ।