ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ମଇଦାନରେ ପ୍ରବେଶ କରିଛି ଆମ୍ ଆଦ୍ମୀ ପାର୍ଟି (ଆପ୍)। ଜାତୀୟ ଦଳ ମାନ୍ୟତା ପାଇବା ପରେ ଏହି ଦଳ କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ମଧ୍ୟରୁ ୨୦୦ରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଛି। ଇତିମଧ୍ୟରେ ଦଳ ୧୬୮ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଖୁବ୍ ଶୀଘ୍ର ଆଉ ୩୦ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବ। ଅନ୍ୟୂନ ୧୫ଟି ଆସନରେ ଦଳ ଉତ୍ତମ ପ୍ରଦର୍ଶନ କରିବ ବୋଲି କହିଛନ୍ତି ପ୍ରଚାର କମିଟି ଅଧ୍ୟକ୍ଷ ଚନ୍ଦରୁ। ୨୦୧୩ କର୍ଣ୍ଣାଟକ ନିର୍ବାଚନରେ ଆପ୍ ପ୍ରତିଦ୍ବନ୍ଦ୍ବିତା କରିନଥିଲା। ୨୦୧୮ ନିର୍ବାଚନରେ ୨୮ଟି ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଦୟନୀୟ ପ୍ରଦର୍ଶନ କରି ମାତ୍ର ୦.୦୬ ପ୍ରତିଶତ ଭୋଟ ପାଇଥିଲା। ସମସ୍ତ ପ୍ରାର୍ଥୀ ଅମାନତ ହରାଇଥିଲେ। ସମ୍ପ୍ରତି ଗୁଜରାଟ ଓ ଗୋଆରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ପଞ୍ଜାବରେ ସରକାର ଗଠନ କରିଥିବା ଆପ୍ ଉତ୍ସାହିତ ରହିଛି।