ଭାରତ ଛାଡ଼ି ଇଂଲଣ୍ଡ୍‌ ଚାଲିଗଲେ ପୁନାବାଲା

ନୂଆଦିଲ୍ଲୀ: ଧମକ ଦିଆଯିବା କାରଣରୁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ର ମୁଖ୍ୟ ଅଦର ପୁନାୱାଲା ଗତ ସପ୍ତାହର ଶେଷ ଭାଗରେ ବିମାନ ଯୋଗେ ଇଂଲଣ୍ଡ୍‌ ଚାଲିଯାଇଛନ୍ତି। ‘ଦି ଟାଇମ୍‌ସ୍’ ସହ ଅନୁଷ୍ଠିତ ସାକ୍ଷାତ୍‌କାରରେ ସେ କହିଛନ୍ତି, ମୁଁ ଏଠାରେ ବେଶ୍‌ କିଛି ଦିନ ରହିବି। ଏହାର କାରଣ ହେଲା, ସେ ଭଳି ପରିସ୍ଥିତିରେ ରହିବାକୁ ମୋର ଇଚ୍ଛା ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ମୋ ଉପରେ ସବୁ ଭାର ପଡୁଛି। ମୁଁ ଏକେଲା ତାହା ସମ୍ଭାଳି ପାରିବି ନାହିଁ। ସେ ଭଳି ପରିସ୍ଥିତିରେ ରହିବାକୁ ମୁଁ ଚାହେଁନା କି, ଦାୟିତ୍ବ ନିର୍ବାହ କରି ମଧ୍ୟ ଅମୁକ ସମୁକଙ୍କର ଟିକା ବରାଦ ପୂରଣ କରି ନ ପାରି ଅଡୁଆରେ ପଡ଼ିବାକୁ ଚାହେଁନା। ସେମାନେ ଯାହା କରିବେ, ଆପଣମାନେ ତାହା କଳ୍ପନା କରି ପାରିବେ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ଟିକା ପାଇବାର ପ୍ରତ୍ୟାଶା ଏବଂ କ୍ରୋଧ ବାସ୍ତବିକ ବଡ଼ ଅଭୂତପୂର୍ବ ଓ ଅସମ୍ଭାଳ। ସମସ୍ତଙ୍କର ଧାରଣା ସେମାନେ ଟିକା ପାଇବା ଉଚିତ। ତାଙ୍କ ପୂର୍ବରୁ ଅନ୍ୟ କେହି ଟିକା ପାଇବା ଉଚିତ ବୋଲି ସେମାନେ ବୁଝି ପାରୁନାହାନ୍ତି। ଗାଳି ନ ଦେଲେ ବି ଧମକ ଦେବା ସ୍ବରରେ ଟିକା ମାଗୁଛନ୍ତି।