ହାଇଦ୍ରାବାଦ,୧୭/୧ : ଆସନ୍ତା୨୦୨୪ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡିକ ପକ୍ଷରୁ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଦକ୍ଷିଣରେ ଚତୁର୍ଥ ମୋର୍ଚ୍ଚାର ବିଗୁଲ୍ ବଜାଇବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ତେଲେଙ୍ଗାନାରେ ‘ଭାରତ ରାଷ୍ଟ୍ର ସମିତି’ ବୁଧବାର ଏକ ଜନସଭାର ଆୟୋଜନ କରୁଛି। ଜନସଭାରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏଥିରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ, କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ, ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଡି ରାଜା ସାମିଲ୍ ହେବେ ।
ରାଜନୈତିକ ଦୃଷ୍ଟିକୋଣରୁ ଏହି ଜନସଭାକୁ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି। ତେଲେଙ୍ଗାନା ରାଷ୍ଟ୍ର ସମିତି ଦ୍ଵାରା ନିଜ ନାମ ପରିବର୍ତ୍ତନ କରାଯାଇ ବିଆରଏସ ରଖାଯିବା ପରେ ଏହା ହେଉଛି ପ୍ରଥମ ଜନସଭା। ସଭାରେ ବିଭିନ୍ନ ବିରୋଧୀ ଦଳ ବିଆରଏସ, ଆମ୍ ଆଦମୀ ପାର୍ଟି(ଆପ୍), ସମାଜବାଦୀ ପାର୍ଟି(ଏସପି) ଏବଂ ବାମଦଳର ନେତାଙ୍କ ମେଳି ଦେଖିବାକୁ ମିଳିବ। ଏହାକୁ ଚତୁର୍ଥ ମୋର୍ଚ୍ଚା କହିବା ପଛରେ ମଧ୍ୟ ବିଶେଷ କାରଣ ରହିଛି। ପ୍ରଥମ ମୋର୍ଚ୍ଚା ବିଜେପିକୁ କୁହାଯାଏ। ଦ୍ଵିତୀୟ ମୋର୍ଚ୍ଚା କଂଗ୍ରେସ ଏବଂ ତୃତୀୟ ମୋର୍ଚ୍ଚା ଭାବେ ନୀତିଶ କୁମାର ଏବଂ ମମତା ବାନାର୍ଜୀଙ୍କୁ ଦର୍ଶାଯାଏ। ଏମିତିରେ ତିନି ମୋର୍ଚ୍ଚାଠୁ ଦୂରରେ ରହି କେସିଆର ଚତୁର୍ଥ ମୋର୍ଚ୍ଚା ଗଠନ କରିବାକୁ ସଙ୍କେତ ଦେଇଛନ୍ତି।
