‘ଆମକୁ ମୋଦୀ ଦିଅ’ : ଏପରି କହିଲେ ପାକିସ୍ତାନୀ ଯୁବକ, ଦେଖନ୍ତୁ ଭିଡିଓ …

ଇସଲାମାବାଦ : ପାକିସ୍ତାନୀ ୟୁଟ୍ୟୁବର ଏକ ଭିଡିଓ ସାମଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହେଉଛି। ଭାରତରେ ମଧ୍ୟ ଏହି ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ପାକିସ୍ତାନୀ ଯୁବକ କିପରି ଦେଶର ଅର୍ଥନୈତିକ ସଙ୍କଟ ପରେ ନିଜ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବିରୋଧରେ ନାରାବାଜି ଦେଉଛନ୍ତି। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯୁବକ ଜଣକ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଏପରିକି ୧୯୪୭ରେ ହୋଇଥିବା ବିଭାଜନକୁ ନେଇ ମଧ୍ୟ ପଶ୍ଚାତାପ କରୁଛନ୍ତି।

ସ୍ଥାନୀୟ ବ୍ୟକ୍ତି ଜଣକ କହୁଛନ୍ତି ଯେ, ଯଦି ବିଭାଜନ ହୋଇ ନ ଥାଆନ୍ତା, ତାହେଲେ ସେ ଓ ତାଙ୍କ ସାଥୀ ଦେଶବାସୀ ଆଜି ଉଚିତ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରି ଥାଆନ୍ତେ ଓ ସବୁ ରାତିରେ ତାଙ୍କ ପିଲାଙ୍କୁ ମୁଠାଏ ଖାଇବାକୁ ଦେଇ ପାରିଥାଆନ୍ତେ। ସେ କହିଛନ୍ତି, ଭଲ ହୋଇଥାନ୍ତା ଯଦି ପାକିସ୍ତାନ ଭାରତଠାରୁ ଅଲଗା ହୋଇନଥାନ୍ତା। ତାହେଲେ ଆମେ ପାକିସ୍ତାନୀ ମୁଦ୍ରାରେ ଟମାଟୋ କିଲୋ ପ୍ରତି ୨୦ ଟଙ୍କା, ଚିକେନ୍‌ କିଲୋ ପ୍ରତି ୧୫୦ ଓ ପେଟ୍ରୋଲ ଲିଟର ପ୍ରତି ୫୦ ଟଙ୍କାରେ କିଣୁ ଥାଆନ୍ତୁ। ସେ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ, ଆମକୁ ଏକ ଇସ୍ଲାମିକ୍ ରାଷ୍ଟ୍ର ମିଳିଲା କିନ୍ତୁ ଆମେ ଏଠାରେ ଇସଲାମ ପ୍ରତିଷ୍ଠା କରିପାରିଲୁ ନାହିଁ।

ପାକ୍‌ ଯୁବକ ଜଣକ କହିଛନ୍ତି ଯେ, ଯଦି ଆମ ପାଖରେ ନରେନ୍ଦ୍ର ମୋଦୀ ଥାଆନ୍ତେ, ତାହେଲେ ଆମକୁ ନୱାଜ ଶରିଫ, ବେନଜିର୍ କିମ୍ବା ଇମ୍ରାନଙ୍କର କୌଣସି ଆବଶ୍ୟକତା ନ ଥାଆନ୍ତା। ଏପରିକି ନା ପୂର୍ବତନ ସାମରୀକ ଶାସକ ଜେନେରାଲ ପରଭେଜ ମୁଶାରଫଙ୍କର ମଧ୍ୟ ଆବଶ୍ୟକତା ଥାଆନ୍ତା। ଆମେ କେବଳ ପ୍ରଧାନମନ୍ତ୍ରୀ ମୋଦୀ ଚାହୁଁଛୁ, କାରଣ କେବଳ ସେ ହିଁ ଦେଶର ସମସ୍ତ ପରିସ୍ଥିତି ସହ ମୁକାବିଲା କରିପାରିବେ। ଭାରତ ବର୍ତ୍ତମାନ ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବାବେଳେ ଆମେ କେଉଁଠି ବି ନାହୁଁ।