ବର୍ଷେ ପୂରିଲା ରୁଷ୍-ୟୁକ୍ରେନ୍ ଯୁଦ୍ଧ : ପରମାଣୁ ଯୁଦ୍ଧ ଆଶଙ୍କା

କିବ୍ : ଆଜିକୁ ଠିକ୍‌ ବର୍ଷେ ତଳେ ଅର୍ଥାତ ୨୦୨୨ ମସିହା ଫେବୃଆରୀ ୨୪ ତାରିଖରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଡ଼ୋଶୀ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ରୁଷ୍‌ର ୟୁକ୍ରେନ୍ ଅକ୍ରମଣକୁ ଆଜି ବର୍ଷେ ପୂରୁଛି। ଏହି ଯୁଦ୍ଧ ଫଳରେ ୟୁକ୍ରେନ୍‌ର କୋଟି କୋଟି ଲୋକ ବିସ୍ଥାପିତ ହୋଇଛନ୍ତି ବା ଅନ୍ୟ ଦେଶରେ ଶରଣ ନେଇଛନ୍ତି। ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ୟୁକ୍ରେନ୍‌ର ଅନେକ ସହର ଏକପ୍ରକାର ଧ୍ବଂସ ପାଇଯାଇଛି। ଯୁଦ୍ଧ ଶେଷ ହେବାର କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ କାରଣ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଅତ୍ମସମର୍ପଣ କରିବାକୁ ଅନିଚ୍ଛୁକ ଥିବାବେଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍‌କୁ ନାଜିବିହୀନ କରିବା ଲକ୍ଷ୍ୟରୁ ନିରସ୍ତ ହେଉନାହାନ୍ତି। ଏ ପରିପ୍ରେକ୍ଷୀରେ କୌଣସି ପ୍ରକାର କୂଟନୈତିକ ସମାଧାନ ଆଶା କରିବା ବୃଥା। ଅନ୍ୟପକ୍ଷରେ ଆଗକୁ ଯୁଦ୍ଧ ଆହୁରି ଭୟାବହ ହେବା ଆଶଙ୍କା କରାଯାଉଛି । ରାଷ୍ଟ୍ରପତି ପୁଟିନ ବିଶ୍ବର ସର୍ବାଧିକ ଶକ୍ତିଶାଳୀ ପରମାଣୁ କ୍ଷେପଣାସ୍ତ୍ର ‘ସରମତ’ ମୁତୟନ କରିବା ପାଇଁ ଆଜି ଘୋଷଣା କରିଛନ୍ତି। ଏହି ଘୋଷଣା ପଶ୍ଚିମ ରାଷ୍ଟ୍ରମାନଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି। ଯୁଦ୍ଧ ଶେଷ କରିବା ପାଇଁ ସବୁ ଉଦ୍ୟମ ବିଫଳ ହେଉଥିବାରୁ ଆଗକୁ ଏହା ପରମାଣୁ ଯୁଦ୍ଧର ରୂପ ନେବ ବୋଲି ସାମରିକ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।