ନୂଆଦିଲ୍ଲୀ,୨୬/୫: ଶସ୍ତା ମୂଲ୍ୟରେ ଉପଲବ୍ଧ ଅଶୋଧିତ ତୈଳର ଲାଭ ଉଠାଇବାକୁ ଭାରତ ଏବେ ନୂଆ ଯୋଜନା କରୁଛି ଶସ୍ତାରେ ମିଳୁଥିବା ତୈଳକୁ କ୍ରୟ କରି ଆମେରିକାରେ ସଂରକ୍ଷଣ କରିବାକୁ ଯୋଜନା କରୁଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ ଶସ୍ତା ମୂଲ୍ୟରେ ଉପଲବ୍ଧ ଥିବା ତୈଳକୁ ସଂରକ୍ଷଣ କରିବାକୁ ଭାରତ ଚିନ୍ତା କରୁଛି । କାରଣ ଆମର ସମସ୍ତ ତୈଳ ଭଣ୍ଡାର ଶସ୍ତା ତେଲରେ ଭରି ଗଲାଣି, ଆମ ପାଖରେ ବର୍ତ୍ତମାନ ତେଲ ଷ୍ଟକ କରିବା ପାଇଁ ସ୍ଥାନର ଅଭାବ ଅଛି । ଅଷ୍ଟ୍ରେଲିଆ ଭଳି ଯୋଜନା କରିବା ପାଇଁ ବିଚାର କରୁଛି ଭାରତ । ଅଷ୍ଟ୍ରେଲିଆ ଗତ ମାସରେ ଶସ୍ତା ମୂଲ୍ୟରେ ଅଶୋଧିତ ତୈଳ କିଣି ଏହାକୁ ଆମେରିକାର ପେଟ୍ରୋଲିୟମ ରିଜର୍ଭରେ ସଂରକ୍ଷଣ କରିବା ବିଷୟରେ ସୂଚନା ଦେଇଥିଲା। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଆମେରିକାରେ ଶସ୍ତା ତେଲ କିଣାଯାଇ ସଂରକ୍ଷଣ ହେବାର ଏପରି ସମ୍ଭାବନା ଅଛି କି ନାହିଁ ତାହା ବର୍ତ୍ତମାନ ଆମେ ଦେଖୁଛୁ।
ସୂଚନାଯୋଗ୍ୟ ଯେ, ୨୦୨୦ ର କିଛି ସପ୍ତାହ ମଧ୍ୟରେ ତେଲର ମୂଲ୍ୟ ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇଛି, ଯଦିଓ ବର୍ତ୍ତମାନ ଏହାର ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି । ତଥାପି ପୂର୍ବ ତୁଳନାରେ ଏହା ମୂଲ୍ୟ କମ ରହିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ ରାଷ୍ଟ୍ର । ଆମେ ରଣନୈତିକ ଦୃଷ୍ଟିରୁ ୫.୩୩ ନିୟୁତ ଟନ୍ ତୈଳ ଆମର ବିଭିନ୍ନ ସଂରକ୍ଷଣ କେନ୍ଦ୍ର ମାନଙ୍କରେ ସଂରକ୍ଷଣ ରଖିଥିବାବେଳେ ୮.୫୯ ନିୟୁତ ଟନ୍ ତୈଳକୁ ବିଭିନ୍ନ ଜାହାଜ ମାନଙ୍କରେ ପୃଥିବୀର ବିଭିନ୍ନ ସ୍ଥାନରେ ଷ୍ଟକ କରି ରଖାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ଗଲ୍ଫ ଦେଶର ଭାରତୀୟ ତେଲ ଭର୍ତ୍ତି କରି ରହିଛନ୍ତି | ଭାରତୀୟ ରିଫାଇନାରୀଗୁଡ଼ିକ ମଧ୍ୟ ସେମାନଙ୍କର ବ୍ୟବସାୟିକ ଟ୍ୟାଙ୍କ ଏବଂ ପାଇପଲାଇନକୁ ଇନ୍ଧନ ଏବଂ ତେଲରେ ଭରି ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗଚ୍ଛିତ ହୋଇଥିବା ତେଲ ଭାରତର ବାର୍ଷିକ ଆବଶ୍ୟକତାର ୨୦ପ୍ରତିଶତ ପୂରଣ କରିପାରିବ। ଭାରତ ଏହାର ତୈଳ ଆବଶ୍ୟକତାର ପ୍ରାୟ ୮୦ ପ୍ରତିଶତ ଅନ୍ୟ ଦେଶରୁ ଆମଦାନୀ କରିଥାଏ। ସରକାର ଏହାର ରଣନୀତିରେ ପରିବର୍ତ୍ତନ ମାଧ୍ୟମରେ ନୂତନ ଷ୍ଟୋରେଜ୍ ଦ୍ୱାରା ୬.୫ ନିୟୁତ ଟନ୍ ତେଲ ସଂରକ୍ଷଣ କରିବାକୁ ଯୋଜନା କରୁଛନ୍ତି। ଦେଶରେ ଚାଲିଥିବା ଲକଡାଉନ କାରଣରୁ ଭାରତରେ ତୈଳ ବ୍ୟବହାର ଏପ୍ରିଲ ୨୦୦୭ ଠାରୁ ସର୍ବନିମ୍ନ ସ୍ତରରେ ପହଁଞ୍ଚିଛି । ଏଥି ସହିତ ଗତ ବର୍ଷ ମେ ମାସରେ ତେଲ ଚାହିଦା ଅନୁସାରେ ଚଳିତ ବର୍ଷ ମେ ମାସରେ ମାତ୍ର ୬୦ ରୁ ୬୫ ପ୍ରତିଶତ ତେଲ ଟାର୍ଗେଟ ପୂରଣ ହୋଇଛି । ଆଶା କରାଯାଉଛି ଯେ ୨୦୨୦ ଜୁନ୍ ମାସରେ ସବୁ କିଛି ଠିକ ଠାକ ହୋଇଯିବ ବୋଲି ।