ଅନାଥଙ୍କ ପାଇଁ ନବୀନଙ୍କ ‘ଆଶୀର୍ବାଦ’

ଭୁବନେଶ୍ଵର: ବାଲେଶ୍ଵର ଜିଲ୍ଲାର ୭ ବର୍ଷର ଝିଅ କ୍ରୀଷ୍ଣା ଆଉ ୯ ମାସର ଭାଇକୁ ଏକା ଛାଡ଼ି ଆଖି ବୁଜିଛନ୍ତି ସେମାନଙ୍କ ବାପା ମା। ଆଜି ସେମାନଙ୍କ ପାଇଁ ରାଜ୍ୟ ବିଭିନ୍ନ ସ୍ଵେଚ୍ଛାସେବୀ ସଙ୍ଗଠନ ତଥା ଅନେକ ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢାଇଛନ୍ତି। ତେବେ କେବଳ କ୍ରିଷ୍ଣା ନୁହେଁ ରାଜ୍ୟରେ ଏମିତି ଅନେକ ପିଲା ଏଭଳି ଅବସ୍ଥାରେ ଦିନ କାଟୁଛନ୍ତି। ସାହାରା ବୋଲି ସେମାନଙ୍କ ପାଖରେ କିଛି ନାହିଁ। ତେବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସେମାନଙ୍କ ପାଇଁ ଓଡ଼ିଶାରେ ଆଣିଛନ୍ତି ନୂଆ ଏକ ଯୋଜନା “ଆଶୀର୍ବାଦ” । ପରିବାରର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଥିବା ଶିଶୁମାନଙ୍କ ସହାୟତା ପାଇଁ ଏହି ଯୋଜନା ପ୍ରଣୟନ କରିଛନ୍ତି ରାଜ୍ୟ ସରକାର। ଏହି ଯୋଜନାରୁ କୌଣସି ବି ବ୍ୟକ୍ତି ଯେପରି ବାଦ ନ ପଡ଼ିବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଜିଲ୍ଲାପାଳଙ୍କୁ ପ୍ରତିବର୍ଷ ସ୍ଵତନ୍ତ୍ର ଅଭିଯାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଗତବର୍ଷ ଏପ୍ରିଲ ପହିଲାରୁ ପରିବାରର ମୁଖ୍ୟ ଉପାର୍ଜନକାରୀ ମାନଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ନୂଆ ଯୋଜନା। ସେମାନଙ୍କ ପାଠପଢା ସାଙ୍ଗକୁ ଭରଣପୋଷଣ ଏବଂ ଯତ୍ନ ନେବା ପାଇଁ ଆଶୀର୍ବାଦ ଭଳି ଏକ ଯୋଜନା ଆଣିଛନ୍ତି। ତେବେ ଏହି ଯୋଜନା ପାଇଁ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି।

ବାପା ମା ଉଭୟଙ୍କୁ ହରାଇଥିବା ପିଲା କିମ୍ବା କୌଣସି ଜଣଙ୍କୁ ହରାଇଥିବା ପିଲାମାନଙ୍କୁ ମାସିକ ୨୫୦୦ ଟଙ୍କା ଯୋଗାଇ ଦିଆଯିବ। ପିଲାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ‍ ଏହି ସହାୟତା ଯୋଗାଇ ଦିଆଯିବ। ତେବେ ଯଦି ସେମାନଙ୍କୁ କେହି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରନ୍ତି, ଏହି ସହାୟତା ଆଉ ଦିଆଯିବ ନାହିଁ। ସେହିଭଳି ନିଜ ଆତ୍ମୀୟଙ୍କ ପରିବର୍ତ୍ତେ ଯଦି କୌଣସି ଚାଇଲ୍ଡ କେୟର ଅନୁଷ୍ଠାନରେ ରୁହନ୍ତି ତେବେ ସେହି ପିଲାମାନଙ୍କୁ ମଧ୍ୟ ମାସିକ ହଜାର ଟଙ୍କା ଜମା କରାଯିବ। ସେହିପରି ସିଙ୍ଗଲ ପ୍ୟାରେଣ୍ଟଙ୍କୁ ହରାଇଥିବା ପିଲାଙ୍କୁ ୧୫୦୦ ଟଙ୍କା ଲେଖାଏଁ ଦିଆଯିବ। ଏବଂ ପିଲାଙ୍କ ମା ଯଦି ମଧୁବାବୁ ପେନସନର ଯୋଗ୍ୟ ହୋଇଥିଲେ ତେବେ ତାଙ୍କୁ ବିଧବା ଭତ୍ତା ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବୀମା ଯୋଜନା ଏବଂ ବିଜୁ ସ୍ଵାସ୍ଥ୍ୟ ଯୋଜନାରେ ଏହି ପିଲାମାନେ ମାଗଣା ଚିକିତ୍ସାର ସୁବିଧା ଉପଲବ୍ଧ ରହିବ। ଏଥିସହିତ ଜାତୀୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ।