ଭୁବନେଶ୍ୱର, ୨୪/୦୭ : ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ହେଉଛି ଭକ୍ତି ଓ ସମର୍ପଣର ଏକ ଅନନ୍ୟ ଉପହାର। ଏଥର ମହାପ୍ରଭୁଙ୍କୁ ୩୯୧ ଫୁଟ ଲମ୍ବର ତୁଳସୀ ମାଳ, ୩୫୧ ଫୁଟର ପଦ୍ମ ମାଳ ଏବଂ ୩୧୧ ଫୁଟର ଗେଣ୍ଡୁ ଫୁଲ ମାଳ ଅର୍ପଣ କରାଯିବ। ଏହି ବିଶାଳ ମାଳଗୁଡ଼ିକ ଢେଙ୍କାନାଳର ଏକଘରିଆ ଶରଣ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତ ହେଉଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚିଣ୍ଟୁ ବାବା ଏହି ବିଶାଳ ମାଳଗୁଡ଼ିକୁ ଶ୍ରୀକ୍ଷେତ୍ର ପୁରୀ ନେଇ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରିବେ। ମାଳ ପ୍ରସ୍ତୁତି ପାଇଁ ଶରଣ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ସକାଳୁ ସକାଳୁ ମହିଳା ଭକ୍ତମାନେ ଏକାଠି ହୋଇ ଭକ୍ତିଭାବରେ ତୁଳସୀ ଓ ଫୁଲ ଗାଁଥିବାରେ ବ୍ୟସ୍ତ ରହୁଛନ୍ତି।
ଢେଙ୍କାନାଳ, ଅନୁଗୋଳ, ତାଳଚେର, କଟକ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ ମହିଳା ଏହି ସେବାରେ ସାମିଲ ହୋଇଛନ୍ତି। ସେମାନଙ୍କ କହିବା କଥା, ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ମିଳିବା ସେମାନଙ୍କ ଜୀବନର ସବୁଠାରୁ ବଡ଼ ସୌଭାଗ୍ୟ। ଘରର ସମସ୍ତ କାମ ସାରି ସେମାନେ ଏଠାକୁ ଆସି ମାଳ ଗାଁଥିବାରେ ନିଜକୁ ଧନ୍ୟ ମନେ କରୁଛନ୍ତି। ମନ୍ଦିରର ଜଣେ ସେବାୟତ କହିଛନ୍ତି, ଭକ୍ତମାନଙ୍କ ଇଚ୍ଛା ଥିଲା ୩୯୧ ଫୁଟର ତୁଳସୀ ମାଳ ଓ ପଦ୍ମ ମାଳ ସହ ବିଶାଳ ଗେଣ୍ଡୁ ମାଳ ପ୍ରସ୍ତୁତ କରିବା। ତେବେ ମାଳର ଚୂଡ଼ାନ୍ତ ଲମ୍ବ ମହାପ୍ରଭୁଙ୍କ ଇଚ୍ଛା ଓ ଲୀଳା ଉପରେ ନିର୍ଭର କରିବ। ଆଗାମୀ ଦିନରେ ମଧ୍ୟ ଏହି ସେବା ପରମ୍ପରାକୁ ଜାରି ରଖିବାକୁ ସମସ୍ତଙ୍କ ଇଚ୍ଛା ରହିଛି।
