ନୂଆଦିଲ୍ଲୀ, ୨୫/୦୭ : ସାଉଦି ନେତୃତ୍ୱାଧୀନ ମିଳିତ ଗୋଷ୍ଠୀ ୟେମେନର ହୋଦେଦାହରେ ଇରାନ ସମର୍ଥିତ ହୁତି ସାମରିକ ଘାଟି ଉପରେ ବିମାନ ଆକ୍ରମଣ କରିଛି । ଲୋହିତ ସାଗରରେ ସାଉଦିର ଜାହାଜ ଉପରେ ହୁତି ଆକ୍ରମଣର ଜବାବରେ ଏହି ଆକ୍ରମଣ କରାଯାଇଛି । ସାଉଦି ନେତୃତ୍ୱାଧୀନ ମିଳିତ ଗୋଷ୍ଠୀର ମୁଖପାତ୍ର ମେଜର ଜେନେରାଲ ତୁର୍କି ଅଲ୍-ମାଲକି ସୋସିଆଲ ମିଡିଆ ଏକ୍ସର କହିଛନ୍ତି, ଆମେ ହୋଦେଦାହ ପ୍ରଦେଶରେ ଆକ୍ରମଣ କରି ପ୍ରତିଶୋଧ ନେଇଛୁ । ହୁତିଙ୍କ ଦ୍ୱାରା ପରିଚାଳିତ ଅଲ-ମାସିରାହ ଟିଭି ରିପୋର୍ଟ କରିଛି ଯେ, ସାଉଦି ପକ୍ଷରୁ ଲୋହିତ ସାଗର ବନ୍ଦର ସହର ହୋଦେଦାହରେ ଥିବା ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନିର କାରଖାନାକୁ ଟାର୍ଗେଟ କରାଯାଇଛି । ଏହା ସହିତ ସାଉଦି ସେନା ୟେମେନର ପଶ୍ଚିମ ଉପକୂଳରେ ଅବସ୍ଥିତ କାମାରାନ ଦ୍ୱୀପକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସ୍ଥାନୀୟ ଲୋକମାନେ ରିପୋର୍ଟ କରିଛନ୍ତି ଯେ ହୋଦେଦାହ ବନ୍ଦରକୁ ମଧ୍ୟ ଟାର୍ଗେଟ କରାଯାଇଛି । ତେବେ ଅଲ୍-ମାଲକି ଏକ ବିବୃତିରେ କହିଛନ୍ତି, ବନ୍ଦରକୁ ଟାର୍ଗେଟ କରାଯାଇ ନାହିଁ। ବିବୃତ୍ତି ଅନୁଯାୟୀ, ହୋଦେଇଦା, ରାସ ଇସା ଏବଂ ସାଲିଫ ସମେତ ସମସ୍ତ ୟେମେନ ବନ୍ଦର ସାମୁଦ୍ରିକ ପରିବହନ ପାଇଁ ଖୋଲା ଅଛି ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକ ଆଗମନ କରୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି,ବିମାନ ଚଳାଚଳ ଜାରି ପାଇଁ କୌଣସି ବିମାନବନ୍ଦରକୁ ଟାର୍ଗେଟ କରାଯାଇ ନାହିଁ। ହୁତି ବିଦ୍ରୋହୀମାନେ ସାନା ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ କରିବାକୁ ଅନୁମତି ଦେଉନଥିବା ସେ ଅଭିଯୋଗ କରିଛନ୍ତି । ସେ ଚେତାବନୀ ଦେଇଛନ୍ତି, ସାଉଦି ଆରବ ନିଜର ଜାହାଜ ଏବଂ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ।ଏହି ଆକ୍ରମଣ ପରେ, ସାଉଦି ଆରବ ଏବଂ ୟେମେନର ହୁତିମାନଙ୍କ ମଧ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ବୃଦ୍ଧି ପାଇଛି। ୨୦୨୨ ମସିହାରେ ହୁତି ଏବଂ ସାଉଦି ଆରବ ମଧ୍ୟରେ ଚୁକ୍ତିନାମା ପରେ ଯୁଦ୍ଧ ବନ୍ଦ ହୋଇଯାଇଥିଲା ।
