ଭୁବନେଶ୍ୱର ୦୧/୦୪ : ବଲାଙ୍ଗୀର ସାର୍ଟିଫିକେଟ୍ ଜାଲିଆତି ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍ ଟିମ୍ । ଦୁଇଟି ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍ ବଲାଙ୍ଗିର ଗସ୍ତ କରି ସ୍ପଟ ଭେରିପିକେସନ୍ କରିବ। ଅନ୍ୟ ଏକ ଟିମ୍ ବଲାଙ୍ଗିର ପୋଲିସର ତଦନ୍ତ ନେଇ କାଗଜପତ୍ର ଛାନଭିନ୍ କରିବ ବୋଲି ସୂଚନା ମିଳିଛି।
ମାର୍ଚ୍ଚ ୨୩ ତାରିଖରେ ବଲାଙ୍ଗିର ଡାକ ମଣ୍ଡଳର ପ୍ରାୟ ୩୮ଜଣ ଆଶାୟୀଙ୍କ ସନ୍ଦିଗ୍ଧଙ୍କ ସାର୍ଟିଫିକେଟ ସାମ୍ନାକୁ ଆସିଥିଲା । ବିଭିନ୍ନ ବିଷୟରେ ଆଶାୟୀମାନେ ୧୦୦ରୁ ୯୮,୯୯ ମାର୍କ ରଖିଥିବା ସାର୍ଟିଫିକେଟ ଦାଖଲ କରିଥିଲେ । ଯାଞ୍ଚବେଳେ ସେମାନଙ୍କ ମଧ୍ୟରୁ ଅନେକ ନିଜ ନାଁ ମଧ୍ୟ ସଠିକ ଭାବରେ ଲେଖି ପାରିନଥିଲେ । ନକଲି ସାର୍ଟିଫିକେଟ ଦାଖଲ କରିଥିବା ସନ୍ଦେହ କରି ଡାକ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ଟାଉନ ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଥିଲେ । ଟାଉନ ପୁଲିସ ବିଭିନ୍ନ ସ୍ଥାନରେ ମାରାଥନ ଚଢ଼ଉ କରି ନକଲି ସାର୍ଟିଫିକେଟଧାରୀଙ୍କୁ ଉଠାଇଆଣିଥିଲା । ଯେଉଁଠି ୧୪ଟି ରାଜ୍ୟର ପ୍ରାୟ ୪୦ଟି ନାମୀଦାମୀ ବିଶ୍ୱବିଦ୍ୟାଳୟର ପ୍ରାୟ ୧ହଜାରରୁ ଅଧିକ ନକଲି ସାର୍ଟିଫିକେଟ ମିଳିଥିଲା ।
ଏଥିସହ ପୁଲିସ ୨୭ଟି ରବର ଷ୍ଟାମ୍ପ, ଚାରିଟି କମ୍ପ୍ୟୁଟର, ଦୁଇଟି ଲାପ୍ଟପ, ତିନିଟି ପ୍ରିଣ୍ଟର୍ସ, ଗୋଟିଏ ସ୍କାନର, ଗୋଟିଏ ଜେରକ୍ସ ମେସିନ ସହ ମୋଟ ତିନିଲକ୍ଷ ୬୭ହଜାର ଟଙ୍କା ଜବତ କରିଥିଲା । ତେବେ ସେଠାରେ କେବଳ ଜାଲ ସାର୍ଟିଫିକେଟ ପ୍ରସ୍ତୁତ ନୁହେଁ ବରଂ ସାର୍ଟିଫିକେଟ ଭେରିଫାଏ ଜାଲିଆତି ମଧ୍ୟ ହେଉଥିଲା । ପ୍ରତି ସାର୍ଟିଫିକେଟକୁ ୨ରୁ ୫ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ଜଣାପଡିଥିଲା । ତେଣୁ ଜାଲିଆତି ଅଭିଯୋଗରେ ପୁଲିସ ଉକ୍ତ ସଂସ୍ଥାର ମୁଖ୍ୟ ମନୋଜ ମିଶ୍ର, ସହଯୋଗୀ ଆଲୋକ ରଞ୍ଜନ ଉଦ୍ଗାତା ସମେତ ୧୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେ ଏମସିଏଲ, ରେଲୱେ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାକିରି କରାଇଦେବାକୁ କହି ଆଶାୟୀଙ୍କ ଠାରୁ ଟଙ୍କା ଅସୁଲି କରୁଥିଲେ । ତେଣୁ ଆର୍ଥିକ କାରବାର ହେଉଥିବା ମନୋଜଙ୍କ ପ୍ରାୟ ୭ଟି ଓ ଅନ୍ୟ ସହଯୋଗୀଙ୍କ ୫ଟି ଆକାଉଣ୍ଟକୁ ଫ୍ରିଜ କରାଯାଇଛି ।
