ବାଲେଶ୍ୱର ଛାତ୍ରୀ ଆତ୍ମହୁତି ଘଟଣା : ୨ ଛାତ୍ରଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୦୪/୦୮ : ବାଲେଶ୍ୱର ଫକୀର ମୋହନ କଲେଜରେ ଛାତ୍ରୀ ଜୀବନ ହାରିବା ଘଟଣାରେ ୨୦ ଦିନ ପରେ ଆକ୍ସନ ନେଇଛି କ୍ରାଇମବ୍ରାଞ୍ଚ । ଛାତ୍ରୀ ଆତ୍ମହୁତି ପଛରେ ଥିବା ମାଷ୍ଟର ମାଇଣ୍ଡ ୨ ଜଣ ଛାତ୍ରଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ତା ଭିତରୁ ଜଣେ ଏବିଭିପିର ରାଜ୍ୟ ସହ ସଂପାଦକ । ଛାତ୍ରୀ ମୃତ୍ୟୁ ଘଟଣାର ଷଡଯନ୍ତ୍ର ପଛରେ ଥିଲେ ଏହି ୨ଜଣ ଛାତ୍ରନେତା । ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ କଲେଜରେ ଲଢ଼େଇ କରୁଥିବା ବେଳେ ତାଙ୍କୁ ଜୀବନ ହାରିବା ପାଇଁ ଏହି ଦୁଇ ଛାତ୍ର ପ୍ରବର୍ତ୍ତାଇଥିଲେ । ଛାତ୍ରୀ ଆତ୍ମହୁତି ବେଳେ ମୋବାଇଲ ଭିଡ଼ିଓ କରିବା ସହିତ ଜୀବନ ହାରିବା ଉଦ୍ୟମ ପାଇଁ ସହଯୋଗ କରିଥିଲେ । ଗିରଫ ୨ ଛାତ୍ର ହେଲେ ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତି ପ୍ରକାଶ ବିଶ୍ୱାଳ । ଜ୍ୟୋତି ପ୍ରକାଶ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଘଟଣା ଦିନ ନିଜେ ଆହତ ହୋଇଥିଲେ । ଏମାନଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଶୁଭ୍ର ସମ୍ବିତ ନାୟକ ABVP ର ରାଜ୍ୟ ସହ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି ।