ଭୁବନେଶ୍ୱର, ୦୬/୦୫ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏକ ବନ୍ଧୁକ କାରଖାନା ଠାବ ହୋଇଛି। ଲାବଣ୍ୟ ନଗର ଠାରେ ଦେଶୀ ବନ୍ଧୁକ ତିଆରି ଓ ମରାମତି ହେଉଥିବା ସୂଚନା ମିଳିବା ପରେ ପୁଲିସ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲା। ଚଢଉବେଳେ ଘଟଣାସ୍ଥଳରୁ ୩ଟି ଦେଶୀ ବନ୍ଧୁକ, ଲୁହା କଟା ମେସିନ, ଡ୍ରିଲ ମେସିନ, ଲୁହା ଖାଡ଼ି, ଅଧା ଗଢ଼ା ବନ୍ଧୁକ କାଠ ସମେତ ବହୁ ଯନ୍ତ୍ରାଂଶ ଜବତ ହୋଇଥିଲା। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଦୈତାରୀ ବିନ୍ଧାଣି (୪୦)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋଶଲେ ସୂଚନା ଦେଇଛନ୍ତି।